ଦୁଇ ଭାଇଙ୍କ ମୃତ୍ୟୁ ଖବର ଦେଲା ଅସହ୍ୟ ଦୁଃଖ, କାନ୍ଦି କାନ୍ଦି ଟଳିପଡ଼ିଲେ ଭଉଣୀ
ବୈଶିଙ୍ଗା/ମୟୂରଭଞ୍ଜ, ୨୭/୧୧ : ମୃତ୍ୟୁ ଯେ କେତେବେଳେ ଓ କେଉଁ ରୂପରେ ଆସେ, ତାହା କେହି ଜାଣେନାହିଁ। ଗୋଟିଏ ପରିବାରରେ ଦୁଇ ଭାଇଙ୍କ ମୃତ୍ୟୁ ଖବର ପହଞ୍ଚିବାର କିଛି ସମୟ ପରେ ଆଉ ଜଣେ ସଦସ୍ୟଙ୍କ ଜୀବନଦୀପ ଲିଭିଯିବା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ଦୁଇ ସାନ ଭାଇଙ୍କ ମୃତ୍ୟୁ ଖବର ଶୁଣି ଶୋକାକୁଳ ହୋଇପଡ଼ିଥିବା ବଡ଼ ଭଉଣୀ ଶେଷରେ ଆଖି ବୁଜିଛନ୍ତି। ଏଭଳି ଏକ ହୃଦୟବିଦାରକ ଘଟଣା ମୟୂରଭଞ୍ଜଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ପଞ୍ଚାୟତର ନୁଣଚାଟି ଗ୍ରାମରେ ଘଟିଛି।ମୃତ ମହିଳା ଜଣକ ହେଲେ ଶ୍ରଦ୍ଧାଞ୍ଜଳି ସେନାପତି (୩୨)।
ସୂଚନା ଅନୁଯାୟୀ, ଗତକାଲି ତାଙ୍କର ଦୁଇ ମାଉସୀ ପୁଅ ଭାଇଙ୍କର ଜଳେଶ୍ୱର ନିକଟସ୍ଥ ମାଟିପୁରାଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏକାଥରେ ଦୁଇ ଭାଇଙ୍କୁ ହରାଇବାର ଦୁଃଖଦ ଖବର ଶ୍ରଦ୍ଧାଞ୍ଜଳିଙ୍କ ନିକଟରେ ପହଞ୍ଚିବା ପରେ ସେ ନିଜକୁ ସମ୍ଭାଳି ପାରିନଥିଲେ। କାନ୍ଦି କାନ୍ଦି ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ।
ପରିବାର ଲୋକେ ତୁରନ୍ତ ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଶ୍ରଦ୍ଧାଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଭାଇଙ୍କ ମୃତ୍ୟୁରେ ଶୋକରେ ବୁଡ଼ିଥିବା ପରିବାର ପାଇଁ ଏହି ଖବର ଆଉ ଏକ ଅସହ୍ୟ ଦୁଃଖ ଆଣିଦେଇଛି।
ତାଙ୍କର ହୃତ୍ପିଣ୍ଡ ଜନିତ ଅସ୍ତ୍ରୋପଚାର ହୋଇଥିଲା
ତେବେ ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମୀଙ୍କ ସୂଚନା ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ପୂର୍ବରୁ ତାଙ୍କର ହୃତ୍ପିଣ୍ଡ ଜନିତ ଅସ୍ତ୍ରୋପଚାର ହୋଇଥିଲା ଏବଂ ଷ୍ଟେଣ୍ଟ ମଧ୍ୟ ଲଗାଯାଇଥିଲା।
ତେବେ ଏହି ଘଟଣାରେ ଏକାଧିକ ମୃତ୍ୟୁର ଦୁଃଖରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ବେଳେ ନୁଣଚାଟି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏକ ଦୁର୍ଘଟଣା ଛଡ଼ାଇଦେଲା ତିନି ତିନିଟି ଜୀବନ ହରାଇବାର ଦୁଃଖ, ହସଖୁସିର ପରିବାରରେ ଖେଳିଗଲା ଅସରନ୍ତି ଶୋକର ଛାୟା।




