ଗଜପତି: ଆଇନ କ୍ଷେତ୍ରରେ କ୍ୟାରିୟର ମାର୍ଗଦର୍ଶନ ପାଇଲେ ଛାତ୍ରଛାତ୍ରୀ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୧/୧୧ : ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଏବଂ ସଠିକ୍ କ୍ୟାରିୟର ଚୟନରେ ସହାୟତା କରିବା ଉଦ୍ଦେଶ୍ୟରେ ପିଏମ୍ ଶ୍ରୀ କାର୍ଯ୍ୟକ୍ରମ ୨୦୨୬–୨୭ ଅନ୍ତର୍ଗତ ପିଏମ୍ ଶ୍ରୀ ସ୍କୁଲ୍ ଜବାହର ନବୋଦୟ ବିଦ୍ୟାଳୟ, ଗଜପତି (ଓଡ଼ିଶା) ପାରଳାଖେମୁଣ୍ଡି ଠାରେ ଦୁଇଦିନିଆ ‘ମାର୍ଗଦର୍ଶନ ଓ କ୍ୟାରିୟର ପରାମର୍ଶ’ ଅଧିବେଶନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜୟନାଥ ପ୍ରସାଦ ମହାଥା’ଙ୍କ ସୁଚାରୁ ମାର୍ଗଦର୍ଶନରେ ୨୦ ଓ ୨୧ ନଭେମ୍ବର ୨୦୨୬ ତାରିଖରେ ଆଇନ କ୍ଷେତ୍ରକୁ ନେଇ ମୋଟ ପାଞ୍ଚଟି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିଲା।
ଏହି ଅଧିବେଶନ ଗୁଡ଼ିକରେ ଜିଲ୍ଲା ନ୍ୟାୟାଳୟରେ ପଦସ୍ଥ ଥିବା ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏବଂ ଅଧିବକ୍ତା ମମତା ଦେବୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆଇନ କ୍ଷେତ୍ରରେ ଉପଲବ୍ଧ ବିଭିନ୍ନ କ୍ୟାରିୟର ସୁଯୋଗ, ପ୍ରବେଶିକା ପରୀକ୍ଷା, ଓକିଲାତି ବୃତ୍ତି ଏବଂ ନ୍ୟାୟିକ ସେବା ସମ୍ପର୍କରେ ବିସ୍ତୃତ ଓ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ। ଏଥିସହ ଆଇନ ଶିକ୍ଷାର ଗୁରୁତ୍ୱ ଏବଂ ଏହି କ୍ଷେତ୍ରରେ ଭବିଷ୍ୟତ ଗଢ଼ିବାର ବିଭିନ୍ନ ମାର୍ଗ ବିଷୟରେ ମଧ୍ୟ ବିଶେଷ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ସମୟରେ ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିବା ସହିତ ବିଭିନ୍ନ ପ୍ରଶ୍ନ ପଚାରି ଆଇନ ଶିକ୍ଷା ଓ ଏହି କ୍ଷେତ୍ରରେ ଥିବା କ୍ୟାରିୟର ସୁଯୋଗ ସମ୍ପର୍କିତ ନିଜର ସନ୍ଦେହ ଦୂର କରିଥିଲେ।
ସର୍ବଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମହାଥା ପିଏମ୍ ଶ୍ରୀ ଯୋଜନା ଅନ୍ତର୍ଗତ ଏଭଳି ଆଲୋଚନା ଓ ପରାମର୍ଶମୂଳକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ଠିକ୍ ସମୟରେ ଉପଯୁକ୍ତ କ୍ୟାରିୟର ଚୟନ କରିବାରେ ବିଶେଷ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିବା ସହ ଆସିଥିବା ଅତିଥି ମାନଙ୍କୁ ସେମାନଙ୍କର ମୂଲ୍ୟବାନ ଜ୍ଞାନ ଓ ଅଭିଜ୍ଞତା ବାଣ୍ଟିଥିବାରୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଯଥାର୍ଥ ସାହାଯ୍ୟ ସହଯୋଗ କରିଥିବା ଶିକ୍ଷକ କୁଲଦୀପ ରିୟାର, ଶୁଭାଶିଷ ରଥ ଓ ଅନ୍ୟମାନଙ୍କ ସହଯୋଗରେ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ଜ୍ଞାନବର୍ଦ୍ଧକ, ଉପାଦେୟ ଓ ପ୍ରେରଣାଦାୟକ ହୋଇପାରିଥିଲା।




