Odisha News

ପୁରୀର ହୋଟେଲରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ୩ କର୍ମଚାରୀ ସହ ଜଣେ ଆଗ୍ନିକ ଆହତ

ପୁରୀ/ଓଡ଼ିଶା, ୧୩/୧୧: ପୁରୀ ବଡ଼ଦାଣ୍ଡରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୪ଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ସଂଯୋଗ କରାଯିବା ସମୟରେ ଫ୍ଲାସ ଫାୟାର ଯୋଗୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।
ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ହୋଟେଲର ତଳ ମହଲାରେ ଥିବା ରେଷ୍ଟୁରାଣ୍ଟଟି ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଘଟଣାରେ ଗ୍ୟାସ ଏଜେନ୍ସିର ଜଣେ କର୍ମଚାରୀଙ୍କ ସମେତ ହୋଟେଲର ଦୁଇଜଣ କର୍ମଚାରୀ ଓ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ହୋଟେଲର ଉପର ମହଲାକୁ ରହିବା ପାଇଁ ବ୍ୟବହାର କରାଯାଉଥିବା ବେଳେ ତଳ ମହଲାରେ ରେଷ୍ଟୁରାଣ୍ଟ ରହିଛି। ପାଣି ନିଷ୍କାସନର ସୁବିଧା ନ ଥିବାରୁ ଗତ ଦୁଇମାସ ହେଲା ରେଷ୍ଟୁରାଣ୍ଟଟି ବନ୍ଦ ରହିଥିଲା। ଆସନ୍ତା ତିନିଦିନ ପରେ ଏହାର ପୁନଃ ଉଦ୍‌ଘାଟନ ହେବାକୁ ଥିବାରୁ ଶୁକ୍ରବାର ସକାଳେ ହୋଟେଲରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା ହୋଇଥିଲା। ଏହାପରେ ରେଷ୍ଟୁରାଣ୍ଟରେ ଗ୍ୟାସ ସଂଯୋଗ କରିବା ପାଇଁ ଗ୍ୟାସ ଏଜେନ୍ସିର କର୍ମଚାରୀ ପହଞ୍ଚି ଥିଲେ। ଗ୍ୟାସ ସଂଯୋଗ କରାଯିବା ସମୟରେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କ ସହ ହୋଟେଲର ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ।
ବିସ୍ଫୋରଣରେ ହୋଟେଲ କାଚ ଝରକା ଭାଙ୍ଗି ଏହାର ଖଣ୍ଡଗୁଡ଼ିକ ବଡ଼ଦାଣ୍ଡର ଅପର ପାର୍ଶ୍ୱ ପର‌୍ୟ୍ୟନ୍ତ ବିଛୁରିତ ହୋଇପଡ଼ିଥିଲା। ଉଦ୍ଧାର କାର‌୍ୟ୍ୟ ସମୟରେ ଲିଫ୍ଟର ପ୍ଲେଟ କାଟି ଜଣେ ବ୍ୟକ୍ତିଙ୍କୁ ବାହାର କରାଯାଉଥିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ଅଗ୍ନିଶମ ବିଭାଗର ପ୍ରାଥମିକ ସୂଚନା ଅନୁଯାୟୀ, ଗ୍ୟାସ ସଂଯୋଗ ସମୟରେ ଫ୍ଲାସ ଫାୟାର ଘଟିବାରୁ ଏଭଳି ବିସ୍ଫୋରଣ ହୋଇ ଥାଇପାରେ। ତେବେ ଆହତ ୪ଜଣଙ୍କ ସ୍ବାସ୍ଥ୍ୟଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ବିସ୍ଫୋରଣର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

Related Posts