Odisha News

ଗଜପତି : ଗଜପତି ଜିଲ୍ଲାରେ କ୍ଷୟକ୍ଷତି ଭରଣା ଓ ରିଲିଫ ବଣ୍ଟନରେ ତ୍ରୁଟି ସୁଧାର ଦାବି କରି ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ରୂପେଶ ପାଣିଗ୍ରାହୀ

ଗଣେଶ କୁମାର ରାଜୁଙ୍କ ରିପୋଟ
ଗଜପତି, ୧୦/୧୧ : ନଦୀକୂଳିଆ ବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର ସହ ମହେନ୍ଦ୍ରତନୟାରେ ଆନିକଟ ନିର୍ମାଣ ଦାବି
ବାତ୍ୟା ‘ଅର୍ଣ୍ଣବ’ ଓ ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନଜନିତ କ୍ଷୟକ୍ଷତିର ଭରଣା ସହ ରିଲିଫ ବଣ୍ଟନରେ ରହିଥିବା ସମସ୍ୟାର ସମାଧାନ ଦାବି ।
ପ୍ରଭାବିତ ଲୋକଙ୍କୁ ସରକାରୀ ଘୋଷଣା ଅନୁଯାୟୀ ସମସ୍ତ ସହାୟତା ମିଳି ନଥିବା ଏବଂ ବିଭିନ୍ନ ଅଞ୍ଚଳରେ ଏବେ ବି ଅନେକ ସମସ୍ୟା ଲାଗି ରହିଥିବା ପ୍ରସଙ୍ଗକୁ ନେଇ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ ଆଜି ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ\’ଙ୍କୁ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। କେବଳ ତତ୍କାଳୀନ ରିଲିଫ ଓ କ୍ଷୟକ୍ଷତି ଭରଣା ନୁହେଁ, ବରଂ ଭବିଷ୍ୟତରେ ବନ୍ୟା ଓ ଭୂସ୍ଖଳନ ଭଳି ବିପର୍ଯ୍ୟୟରୁ ଜିଲ୍ଲାବାସୀଙ୍କୁ ସୁରକ୍ଷା ଦେବା ପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ମନ୍ତ୍ରୀ\’ଙ୍କୁ ଜିଲ୍ଲାର ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ସଠିକ୍ ଭାବେ ସରକାରୀ ସହାୟତା ପହଞ୍ଚାଇବାକୁ ଦାବି କରିଥିଲେ।
କ୍ଷୟକ୍ଷତି ଆକଳନ ଓ ରିଲିଫ ବଣ୍ଟନ ପ୍ରକ୍ରିୟାରେ ଅବହେଳା ରହିଛି, ତାହାର ସମୀକ୍ଷା କରି ହିତାଧିକାରୀ\’ଙ୍କୁ ତୁରନ୍ତ ସହାୟତା ଯୋଗାଇବା ଉପରେ ସେ ଜୋର ଦେଇଥିଲେ। ବିଶେଷକରି ଗୋଷାଣୀ ବ୍ଲକର ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ଅବସ୍ଥିତ ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ।
ବର୍ଷା ଋତୁରେ ନଦୀର ଜଳସ୍ତର ବୃଦ୍ଧି ଓ ବନ୍ୟାଜଳ ପ୍ରବେଶ ଯୋଗୁଁ ଏହି ଅଞ୍ଚଳରେ ଜନଜୀବନ ବିପନ୍ନ ହେଉଥିବା ବେଳେ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକ ବିପର୍ଯ୍ୟୟ ସମୟରେ ସମସ୍ୟା ଉପୁଜିବା ପୂର୍ବରୁ ଏହି ଅନୁଷ୍ଠାନ ଗୁଡ଼ିକୁ ସୁରକ୍ଷିତ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରିବା ଆବଶ୍ୟକ ।
ଏହାଦ୍ୱାରା ଛାତ୍ରଛାତ୍ରୀ, ଶିକ୍ଷକ, ରୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି ବିଧାୟକ ମତ ରଖିଥିଲେ। ସେହିପରି ମହେନ୍ଦ୍ରତନୟା ନଦୀର ଜଳପରିଚାଳନା ଓ ପୁନରୁଦ୍ଧାର ପ୍ରସଙ୍ଗକୁ ମଧ୍ୟ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।
ନଦୀରେ ଜଳପ୍ରବାହକୁ ସୁବ୍ୟବସ୍ଥିତ କରିବା ସହ ଜଳସମ୍ପଦର ସଠିକ୍ ବିନିଯୋଗ ଓ ଭବିଷ୍ୟତରେ ଉପୁଜୁଥିବା ଜଳଜନିତ ସମସ୍ୟାର ମୁକାବିଲା ପାଇଁ ଆନିକଟ ନିର୍ମାଣ କରିବାକୁ ବିଧାୟକ ଦାବି କରିଥିଲେ। ଏଥିସହ ଦୀର୍ଘଦିନ ଧରି ଅବହେଳିତ ରହିଥିବା ନଦୀର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେବାକୁ ମଧ୍ୟ ସେ ଦାବି ଜଣାଇଥିଲେ। ନଦୀର ଜଳଧାରଣ ଓ ଜଳପ୍ରବାହ ବ୍ୟବସ୍ଥାର ସୁଧାର ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଆଲୋକପାତ କରିଥିଲେ। ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳରେ ରିଲିଫ ବଣ୍ଟନକୁ ନେଇ ରହିଥିବା ଅସନ୍ତୋଷ ଓ ସମସ୍ୟା ସମ୍ପର୍କରେ ମଧ୍ୟ ବିଧାୟକ ଅବଗତ କରାଇଥିଲେ।
ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ପ୍ରଭାବିତ ପରିବାରଙ୍କ ପାଇଁ ଘୋଷଣା କରାଯାଇଥିବା ଚାଉଳ ଓ ଆର୍ଥିକ ସହାୟତା ଏବେ ବି ହିତାଧିକାରୀଙ୍କ ନିକଟରେ ପହଞ୍ଚି ନଥିବା ଏପରିକି ସମସ୍ତଙ୍କୁ ଘୋଷିତ ସହାୟତା ପ୍ରଦାନ କରିବାକୁ ସେ ଦାବି କରିଥିଲେ।
ଏହି ସାକ୍ଷାତ ଓ ଆଲୋଚନା ସମୟରେ ଗଜପତି ଓ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ସମସ୍ୟାର ସ୍ଥାୟୀ ସମାଧାନ ପ୍ରସଙ୍ଗ ମଧ୍ୟ ଗୁରୁତ୍ୱ ପାଇଥିଲା। ଉଭୟ ଜିଲ୍ଲାରେ ଚିହ୍ନଟ ହୋଇଥିବା ଭୂସ୍ଖଳନ ପ୍ରବଣ ଅଞ୍ଚଳ ଏବଂ ଭବିଷ୍ୟତରେ ଭୂସ୍ଖଳନ ଘଟିବାର ଆଶଙ୍କା ଥିବା ସ୍ଥାନ ଗୁଡ଼ିକରେ କିପରି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବ, ସେନେଇ ଆଲୋଚନା ହୋଇଥିଲା। ପାହାଡ଼ିଆ ଓ ଦୁର୍ଗମ ଭୌଗୋଳିକ ସ୍ଥିତି ଯୋଗୁଁ ଏହି ଅଞ୍ଚଳରେ ବର୍ଷା ସମୟରେ ଭୂସ୍ଖଳନ ଘଟି ରାସ୍ତାଘାଟ ଅବରୋଧ, ଗ୍ରାମଗୁଡ଼ିକର ଯୋଗାଯୋଗ ବିଚ୍ଛିନ୍ନ ଏବଂ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହୁଛି। ତେଣୁ କେବଳ ଅସ୍ଥାୟୀ ମରାମତି ନୁହେଁ, ବରଂ ବିପଦପ୍ରବଣ ସ୍ଥାନଗୁଡ଼ିକର ବୈଜ୍ଞାନିକ ଅନୁଧ୍ୟାନ କରି ଦୀର୍ଘମିଆଦି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଗଜପତି ଓ କନ୍ଧମାଳ ଜିଲ୍ଲାର ଭୂସ୍ଖଳନ ପ୍ରବଣ ଅଞ୍ଚଳର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଥିଲେ।
ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବା ସହ ଖୁବ୍‌ଶୀଘ୍ର ଏକ ବୈଠକ ଆୟୋଜନ କରାଯିବ। ବିଶେଷଜ୍ଞଙ୍କ ମତାମତ ଓ ଅନୁଧ୍ୟାନ ଆଧାରରେ ଭୂସ୍ଖଳନ ପ୍ରବଣ ସ୍ଥାନଗୁଡ଼ିକରେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଜଣାଇଥିବା ବିଧାୟକ ଇଂ. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Related Posts