ଗଜପତି : ବନ୍ୟା ବିପନ୍ନ’ଙ୍କ ଦୁଃଖ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଆଲୋଚନା
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୧/୧୦ : ଏକ ମାସର ରାଶନ ସାମଗ୍ରୀ ଯୋଗାଇ ଦେବାକୁ ମନ୍ତ୍ରୀଙ୍କ ଠାରେ ଦାବୀ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଛାରଖାର ହୋଇପଡ଼ିଛି ଗଜପତି ଜିଲ୍ଲାର ଜନଜୀବନ ।
ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ ବିଭିନ୍ନ ଅଞ୍ଚଳ ବନ୍ୟାଜଳ ଘେରରେ ରହିଛି । ବିପନ୍ନ ଲୋକେ ଏଥିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଏକ ପ୍ରକାରର ଜଳବନ୍ଦୀ ହୋଇ ରହିଛନ୍ତି । କେବଳ ସେତିକି ନୁହଁ , ଚାଷୀଙ୍କ ବର୍ଷକ ର ପରିଶ୍ରମ ସମ୍ପୂର୍ଣ୍ଣ ଭାବେ ପାଣିରେ ମିଶିଯାଇଛି ।
୭୦ ପ୍ରତିଶତ ଫସଲ ବନ୍ୟାଜଳରେ ବାଲିଚର ମାଡ଼ିଯାଇ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇପଡ଼ିଛି ।
ଧାନଚାଷ ସମେତ ପନିପରିବା ଚାଷ ମଧ୍ୟ ଏଥିରେ ଘୋର ପ୍ରଭାବିତ ହୋଇ ପଡ଼ିଥିବା ବେଳେ ପିଇବା ପାଣି ଓ ଖାଦ୍ୟ ପାଇଁ ମଧ୍ୟ ଲୋକେ ଡହଳବିକଳ ହେବାରେ ଲାଗିଛନ୍ତି ।
ଏଭଳି ବିପତ୍ତି ସମୟରେ ଚାଷୀ ଓ ବନ୍ୟା ବିପନ୍ନଙ୍କ ଦୁଃଖ, ଦୁର୍ଦ୍ଦଶା ଏବଂ ଜିଲ୍ଲାର ବାସ୍ତବ ପରିସ୍ଥିତିକୁ ରାଜ୍ୟ ସରକାରଙ୍କ ନଜରକୁ ଆଣିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ।
ସୂଚନା ଅନୁଯାୟୀ, ଗତକାଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ଗଜପତି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକର ସ୍ଥିତି ପରିଦର୍ଶନ କରିଥିଲେ।
ଏହି ପରିପ୍ରେକ୍ଷୀରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ, ଚାଷୀମାନଙ୍କ ଉପସ୍ଥିତିରେ ଫୋନ୍ ଯୋଗେ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କରି ଗଜପତି ଜିଲ୍ଲାର ବନ୍ୟାଜନିତ କ୍ଷୟକ୍ଷତି ସହ ଲୋକଙ୍କ ଦୁରବସ୍ଥା ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ଆଲୋଚନା ସମୟରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଜଣାଇଥିଲେ ଯେ, ଜିଲ୍ଲାରେ ପ୍ରାୟ ୭୦ ପ୍ରତିଶତ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଏବେ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି।
ମୁଣ୍ଡର ଝାଳ ତୁଣ୍ଡରେ ମାରି ଯେଉଁ ଚାଷୀ ନିଜ ପରିବାରର ଭବିଷ୍ୟତ ପାଇଁ ଭଲ ଫସଲ ଅମଳ କରିବା ଆଶାରେ ଥିଲେ, ଆଜି ସେହି ଫସଲ ବନ୍ୟା ଜଳରେ ଜଳମଗ୍ନ ହୋଇ ନଷ୍ଟ ହେବା ତାଙ୍କ ପାଇଁ ଅସହ୍ୟ ଯନ୍ତ୍ରଣା ପାଲଟିଛି।
ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଚିହ୍ନଟ କରିବା ସହ କ୍ଷୟକ୍ଷତି ସଠିକ୍ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେ ମନ୍ତ୍ରୀଙ୍କ ନିକଟରେ ନିବେଦନ କରିଥିଲେ।
କେବଳ ଚାଷୀ ନୁହନ୍ତି, ବନ୍ୟା ଘେରରେ ରହିଥିବା ଅନେକ ଗ୍ରାମର ସାଧାରଣ ଲୋକଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ ବୋଲି ବିଧାୟକ ଜଣାଇଥିଲେ। ଚାରିପାଖରେ ପାଣି ଘେରି ରହିଥିବାରୁ ଲୋକମାନେ ନିଜ ଘରୁ ବାହାରିବାକୁ ମଧ୍ୟ ଅସମର୍ଥ ହେଉଛନ୍ତି। ପିଇବା ପାଣିର ଅଭାବ ସହ ଦୈନନ୍ଦିନ ଖାଦ୍ୟ ସାମଗ୍ରୀ ମିଳିବାରେ ମଧ୍ୟ ସମସ୍ୟା ଦେଖାଦେଇଛି।
ଏଭଳି ପରିସ୍ଥିତିରେ ଅସହାୟ ପରିବାର, ବୃଦ୍ଧବୃଦ୍ଧା, ଶିଶୁ ଓ ମହିଳାମାନଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି।ବିଧାୟକ ରୂପେଶ ପାଣିଗ୍ରାହୀ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ, ଏହି ସଙ୍କଟ ସମୟରେ ପ୍ରଭାବିତ ପରିବାରଗୁଡ଼ିକୁ ପୂର୍ବରୁ ଯେଉଁଭଳି ରିଲିଫ୍ ଓ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଉଥିଲା, ସେହିଭଳି ବର୍ତ୍ତମାନର ସରକାର ମଧ୍ୟ ତୁରନ୍ତ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ।
ବିଶେଷକରି ବନ୍ୟା ପ୍ରଭାବିତ ଓ ଜଳବନ୍ଦୀ ପରିବାର ମାନଙ୍କୁ ଅନ୍ତତଃ ଏକ ମାସ ପାଇଁ ଆବଶ୍ୟକ ଖାଦ୍ୟ ତଥା ରାସନ୍ ସାମଗ୍ରୀ ଯୋଗାଇ ଦେବାକୁ ସେ ଦୃଢ଼ ଭାବେ ଦାବି ଜଣାଇଥିଲେ।
ଏଥିସହ ପିଇବା ପାଣି, ରିଲିଫ୍ ସାମଗ୍ରୀ ଓ ଅନ୍ୟାନ୍ୟ ଜରୁରୀ ସୁବିଧା ମଧ୍ୟ ତୁରନ୍ତ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ।
ଅନ୍ୟପକ୍ଷରେ, ଗଜପତି ଜିଲ୍ଲାର ବାସ୍ତବ କ୍ଷୟକ୍ଷତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ସଠିକ୍ ଓ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇନଥିବା ନେଇ ମଧ୍ୟ ବିଧାୟକ ନିଜର ଉଦ୍ବେଗ ପ୍ରକାଶ କରିଥିଲେ।
କେବଳ ଆକାଶ ମାର୍ଗରୁ ପରିଦର୍ଶନ କରି ଜିଲ୍ଲାର ପ୍ରକୃତ ଚିତ୍ର ଜାଣିବା ସମ୍ଭବ ନୁହେଁ। ତେଣୁ ମନ୍ତ୍ରୀ ନିଜେ ପୁଣିଥରେ ଗଜପତି ଜିଲ୍ଲା ଗସ୍ତ କରି ଗ୍ରାମାଞ୍ଚଳରେ ପହଞ୍ଚିବା ସହ ଚାଷୀ ଓ ବନ୍ୟା ବିପନ୍ନଙ୍କ ସହ ସିଧାସଳଖ ଆଲୋଚନା କରି ସ୍ଥିତିର ବାସ୍ତବ ଅନୁଧ୍ୟାନ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ।
ବିଧାୟକଙ୍କ ଏହି ଅନୁରୋଧ ଓ ଜିଲ୍ଲାର ଗମ୍ଭୀର ସ୍ଥିତିକୁ ଗୁରୁତ୍ୱ ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚଳିତ ସପ୍ତାହ ମଧ୍ୟରେ ପୁଣିଥରେ ଗଜପତି ଜିଲ୍ଲା ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଏହି ଗସ୍ତ ସମୟରେ ସେ କ୍ଷତିଗ୍ରସ୍ତ ଅଞ୍ଚଳ, ଚାଷଜମି ଓ ବନ୍ୟା ବିପନ୍ନଙ୍କ ସମସ୍ୟାକୁ ଅତି ନିକଟରୁ ଅନୁଧ୍ୟାନ କରିବେ ବୋଲି ଆଶା କରାଯାଉଛି।
ଏବେ ଗଜପତି ଜିଲ୍ଲାର ଚାଷୀ ଓ ବନ୍ୟା ବିପନ୍ନଙ୍କ ଦୃଷ୍ଟି କେବଳ ରାଜ୍ୟ ସରକାରଙ୍କ ଆବଶ୍ୟକ ଓ ଉପଯୁକ୍ତ ସହାୟତା ଉପରେ ହିଁ ରହିଛି। ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ, ଜଳବନ୍ଦୀ ପରିବାରଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ସହ ତୁରନ୍ତ ରିଲିଫ୍ ବ୍ୟବସ୍ଥା କେତେ ଶୀଘ୍ର ପହଞ୍ଚୁଛି, ତାହା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ।
ବିପତ୍ତିର ଏହି କଠିନ ସମୟରେ କେହି ଯେପରି ଭୋକିଲା ନ ରୁହନ୍ତି ଓ କେହି ଯେପରି ପିଇବା ପାଣି ପାଇଁ ହଇରାଣ ନ ହୁଅନ୍ତି, ସେଥିପାଇଁ ତୁରନ୍ତ ଠୋସ୍ ପଦକ୍ଷେପ ନେବା ଏବେ ସମୟର ଆହ୍ୱାନ।




