ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର, ୪/୧୦ : ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ପଶି ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଗତକାଲି ପୁଲିସ ଏନକାଉଣ୍ଟର କରିଥିବାବେଳେ ଆଜି ତାର ୨ ସହଯୋଗୀଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ହରି ନାରାୟଣ ପ୍ରାସାଦ ଓ ନିଶିକାନ୍ତ ସାହୁ । ଏହି ଦୁଇ ଜଣ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଚକେଇସିଆଣି ଅଞ୍ଚଳରେ ରହନ୍ତି ।
ଶ୍ରୀଧର ଦୁଷ୍କର୍ମ କରିବା ପରେ କ୍ୟାପିଟାଲ ଥାନା ଅଞ୍ଚଳରୁ ଏକ ବାଇକ ଚୋରି କରିଥିଲା ଓ ସେଥିରେ ବାରମ୍ୱାର ବାରମ୍ୱାର ସ୍ଥାନ ପରିବର୍ତ୍ତନ କରିଥିଲା । ପରେ ସେହି ବାଇକକୁ ସେ ହରି ନାରାୟଣ ପ୍ରାସାଦ ଓ ନିଶିକାନ୍ତ ସାହୁଙ୍କୁ ବିକ୍ରି କରିଦେଇଥିଲା ।
ଶ୍ରୀଧର ଯେଉଁ ବାଇକ ଚୋରି କରୁଥିଲା ସେମାନଙ୍କୁ ବିକ୍ରି କରୁଥିଲା । ସେମାନେ ବାଇକ ଗୁଡ଼ିକୁ କାଟି ସବୁ ପାର୍ଟ ଅଲଗା କରି ବ୍ରିକ୍ରି କରୁଥିଲେ ।
କ୍ୟାପିଟାଲ ଥାନା ଅଞ୍ଚଳରୁ ଯେଉଁ ବାଇକଟି ଚୋରି ହୋଇଥିଲା, ତାହାର ମାଲିକ ଏତଲା ଦେଇଥିଲେ । ପୁଲିସ ତାହାର ତଦନ୍ତ କରି ହରି ନାରାୟଣ ପ୍ରାସାଦ ଓ ନିଶିକାନ୍ତ ସାହୁଙ୍କ ପାଖରେ ପହଞ୍ଚିଥିଲା । ଚୋରି ସାମଗ୍ରୀ କିଣିବା ଓ ବିକ୍ରି କରିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି ।
ଗତକାଲି ଅପରାହ୍ନ ଚନ୍ଦକା ଅଞ୍ଚଳରେ ଶ୍ରୀଧର ପଣ୍ଡାକୁ କାବୁ କରିଥିଲା ପୁଲିସ । ସେ ଜଣେ ଏସଆଇଙ୍କୁ ପେଚକସରେ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିଥିବାବେଳେ ପୁଲିସ ତା ଗୋଡକୁ ଦୁଇଟି ଗୁଳି କରିଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।



