Odisha News

ବୌଦ୍ଧ କଣ୍ଟାମାଳରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ , ସମାଧାନ ଶିବିର ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୯: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ସଭାଗୃହରେ ଆଜି ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନାଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହା ସହିତ ‘ସେବା ସେତୁ’ ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମହେନ୍ଦ୍ର କୁମାର ସାହୁଙ୍କ ସମେତ ବିଭିନ୍ନ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ଆଜିର ଅଭିଯୋଗ ଶୁଣାଣୀରେ ୭୭ଟି ବ୍ୟକ୍ତିଗତ ଓ ୮ଟି ଗୋଷ୍ଠୀଗତ, ସର୍ବମୋଟ ୮୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଜିଲ୍ଲାପାଳ ଅଭିଯୋଗଗୁଡ଼ିକର ଶୁଣାଣୀ କରି କେତେକ ଅଭିଯୋଗର ତତ୍କାଳ ସମାଧାନ କରିଥିଲେ। ଅନ୍ୟାନ୍ୟ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ନେଇ ସମାଧାନ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ୩ ଜଣ ଅସହାୟ ବ୍ୟକ୍ତିଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ମୋଟ ୧୧,୦୦୦ ଟଙ୍କାର ତତ୍କାଳ ସହାୟତା ପ୍ରଦାନ କରାଯାଇଥିଲା।
‘ସେବା ସେତୁ’ ଅଭିଯାନ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ନାୟକ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଗାଁକୁ ଯାଇ ଲୋକମାନଙ୍କ ଦ୍ୱାରଦେଶରେ ବିଭିନ୍ନ ସରକାରୀ ସେବା ଓ ସୁବିଧା ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ପଞ୍ଚାୟତ ସ୍ତରରେ ଗ୍ରାମସଭା ଆୟୋଜନ କରି ଭିବିଜି ରାମଜୀ କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ ଭାବେ ଆଗେଇ ନେବା ସହିତ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ଉନ୍ନତି ପାଇଁ ତ୍ୱରିତ ଓ ସମନ୍ୱିତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା। ଏହାଦ୍ୱାରା ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନେ ଆବଶ୍ୟକ ସେବା ଓ ସ୍ୱାସ୍ଥ୍ୟ ପରାମର୍ଶ ପାଇଥିଲେ।
ଶିବିର ପରିଚାଳନାରେ ବିଡିଓ ସାମ୍ମୀ ରେଡ୍ଡୀ ଜୟଶ୍ରୀ, ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଡେପୁଟି କଲେକ୍ଟର ଜ୍ୟୋତିରଞ୍ଜନ ଭୁଏ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜିନ୍ଦ୍ର କିଷାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।
ଏହି ଶିବିରରେ ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Related Posts