Odisha News

ବୌଦ୍ଧରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ : ପର୍ଯ୍ୟଟନର ବିକାଶ ବାର୍ତ୍ତା ନେଇ ୫ କି.ମି. ମାରାଥନରେ ଶତାଧିକ ଯୁବକ-ଯୁବତୀଙ୍କ ଅଂଶଗ୍ରହଣ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୯ : ବୌଦ୍ଧ ଜିଲ୍ଲାରେ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।
ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଦିବସ ପାଳନ ସମାରୋହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ତହସିଲଦାର ଅନିତା କୁମାରି ସାହୁ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ୟୋତିରଞ୍ଜନ ଭୁଏ ପ୍ରମୁଖ ଯୋଗଦେଇଥିଲେ।
ବୌଦ୍ଧ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ପର୍ଯ୍ୟଟନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଷ୍ଟାଡିୟମଠାରୁ ମର୍ଜାକୁଦ ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ମାରାଥନ ଦୌଡ଼ ଆୟୋଜିତ ହୋଇଥିଲା। ଏଥିରେ ଶତାଧିକ ଯୁବକ-ଯୁବତୀ ଉତ୍ସାହର ସହ ଅଂଶଗ୍ରହଣ କରି ପର୍ଯ୍ୟଟନ ବିକାଶର ବାର୍ତ୍ତା ପ୍ରଚାର କରିଥିଲେ।
ସମାରୋହରେ ଅତିଥିମାନେ ବିଶ୍ୱ ପର୍ଯ୍ୟଟନ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ବୌଦ୍ଧ ଜିଲ୍ଲାର ଅପାର ପର‌୍ୟ୍ୟଟନ ସମ୍ଭାବନା ସମ୍ପର୍କରେ ମତ ପ୍ରକାଶ କରିଥିଲେ।
ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସବୁଜ ଜଙ୍ଗଲ, ପାହାଡ଼, ନଦୀ, ଐତିହାସିକ ସ୍ଥାନ ଓ ପ୍ରାଚୀନ ମନ୍ଦିରଗୁଡ଼ିକ ପର୍ଯ୍ୟଟନ ବିକାଶର ମୁଖ୍ୟ ଆକର୍ଷଣ ହୋଇପାରିବ ବୋଲି ସେମାନେ କହିଥିଲେ।
ମାରାଥନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କୁ ପ୍ରତ୍ୟେକଙ୍କୁ ୫୦୦ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଓ ବୌଦ୍ଧର ବହୁ ପର୍ଯ୍ୟଟନ ପ୍ରେମୀ ଜନସାଧାରଣ ଯୋଗ ଦେଇଥିଲେ ।
ଏହି ଅବସରରେ ଜିଲ୍ଲା ଶିକ୍ଷା ବିଭାଗର ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକରୁ ଚୟନିତ ପ୍ରତିଯୋଗୀମାନଙ୍କୁ ନେଇ ସ୍ଥାନୀୟ ଯେ ଡି ହାଇସ୍କୁଲ ରେ ଏକ ପର୍ଯ୍ୟଟନ ଭିତ୍ତିକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।
ଏହା ମାଧ୍ୟମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ବୌଦ୍ଧର ପର୍ଯ୍ୟଟନସ୍ଥଳୀ, ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ଜ୍ଞାନ ଓ ସଚେତନତା ବୃଦ୍ଧି କରାଯାଇଥିଲା। ଦିବସର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କହଁର ଆୟୋଜନ କରିଥିଲେ ।

Related Posts