Odisha News

୧୫ ଦିନରେ ଅସୁରକ୍ଷିତ କୋଠା ଚିହ୍ନଟ ନିର୍ଦ୍ଦେଶ

ଭୁବନେଶ୍ୱର, ୮/୯ : ଦେଶର ରାଜଧାନୀ ନୂଆଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣା ପରେ ଏବେ ତତ୍ପର ହୋଇଉଠିଛନ୍ତି ଓଡ଼ିଶା ସରକାର। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ନାଗରିକଙ୍କ ଧନଜୀବନର ସୁରକ୍ଷାକୁ ଆଖିଆଗରେ ରଖି ଅସୁରକ୍ଷିତ ଓ ବିପଦପୂର୍ଣ୍ଣ କୋଠାଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଜବାଜ ହୋଇଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ଏଥିପାଇଁ ଏକ ସ୍ୱତନ୍ତ୍ର ୧୫ ଦିନିଆ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି।
୧୫ ଦିନିଆ ଯାଞ୍ଚ ଅଭିଯାନ ଓ ନୋଟିସ୍
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇ କହିଛନ୍ତି ଯେ, ସହରାଞ୍ଚଳରେ ଥିବା ବିପଦସଙ୍କୁଳ ସରକାରୀ ଓ ଘରୋଇ କୋଠାଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଶେଷ ତଦନ୍ତକାରୀ ଦଳ ଗଠନ କରାଯାଇଛି। ଗଠିତ ଯାଞ୍ଚକାରୀ ଦଳ ସନ୍ଦେହଜନକ କୋଠାଗୁଡ଼ିକର ନିର୍ମାଣ ଶୈଳୀ, ଗଠନାତ୍ମକ ସ୍ଥିତି (Structural Stability) ଓ ସୁରକ୍ଷାର ପୁଙ୍ଖାନୁପୁଙ୍ଖ ଆକଳନ କରିବେ।
ନିର୍ଦ୍ଧାରିତ ୧୫ ଦିନ ମଧ୍ୟରେ ତଦନ୍ତ ଦଳ ରିପୋର୍ଟ ଦାଖଲ କରିବେ। ଯାଞ୍ଚ ପରେ ଯେଉଁ କୋଠାଗୁଡ଼ିକ ଅସୁରକ୍ଷିତ ବୋଲି ପ୍ରମାଣିତ ହେବ, ସେଗୁଡ଼ିକୁ ଭାଙ୍ଗିବା ପାଇଁ ଆଇନାନୁଯାୟୀ ନୋଟିସ୍ ଜାରି କରାଯିବ।
ମନ୍ତ୍ରୀଙ୍କ ବିଭାଗ ଅଧୀନରେ ଥିବା କୋଠା ସମେତ ଅନ୍ୟ ସରକାରୀ ବିଭାଗ ଏବଂ ଅତ୍ୟନ୍ତ ଦୁର୍ବଳ ଥିବା ଘରୋଇ କୋଠାଗୁଡ଼ିକୁ ମଧ୍ୟ ଏହି ଯାଞ୍ଚ ପରିସରଭୁକ୍ତ କରାଯାଇଛି।
କଟକ ଓ ପୁରୀ ଭଳି ପୁରୁଣା ସହର ଉପରେ ସ୍ୱତନ୍ତ୍ର ନଜର
ରାଜ୍ୟର ପ୍ରାଚୀନ ଓ ପୁରୁଣା ସହର ଯେପରିକି କଟକ, ପୁରୀ ଆଦି ସହରାଞ୍ଚଳରେ ବହୁ ବର୍ଷର ପୁରୁଣା ତଥା ଜର୍ଜର କୋଠା ରହିଛି। ଏହିସବୁ ସହରଗୁଡ଼ିକରେ ସ୍ଥାନୀୟ ପୌର ସଂସ୍ଥା (ULBs) ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ସ୍ୱତନ୍ତ୍ର ଯାଞ୍ଚ କରାଯିବ। ଏଠାରେ ଦୀର୍ଘଦିନ ଧରି ରହିଥିବା ପୁରୁଣା ଓ ଦୁର୍ବଳ କୋଠାଗୁଡ଼ିକର ଅବସ୍ଥା ଯାଞ୍ଚ କରାଯିବ। ସମ୍ପୃକ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ଅନ୍ୟ କର୍ତ୍ତୃପକ୍ଷ ଏହି ପ୍ରକ୍ରିୟାରେ ସହଯୋଗ କରିବେ ।
ପ୍ରତିଷେଧକ ମୂଳକ ପଦକ୍ଷେପ
ସରକାରଙ୍କ ଏହି ପଦକ୍ଷେପ କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ସୁରକ୍ଷା ନିଶ୍ଚିତ କରିବାର ଏକ ସାବଧାନତାମୂଳକ ବ୍ୟବସ୍ଥା। ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।
କୌଣସି ବିପଦପୂର୍ଣ୍ଣ ନିର୍ମାଣକୁ ଅଣଦେଖା କରାଯିବ ନାହିଁ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅସୁରକ୍ଷିତ ନିର୍ମାଣ ହଟାଇ ଓଡ଼ିଶାର ସହରଗୁଡ଼ିକୁ ନିରାପଦ କରାଯିବ, ବୋଲି ମନ୍ତ୍ରୀ ଡଃ ମହାପାତ୍ର ସ୍ପଷ୍ଟ କରିଛନ୍ତି।

Related Posts