Odisha News

ବ୍ୟବସାୟୀ ଅପହରଣ ମାମଲାରେ ନୂଆ ଟ୍ୱିଷ୍ଟ : ଏସ୍ଆଇ ସ୍ନେହାମଞ୍ଜରୀଙ୍କୁ ଜେରା, ଜଣେ ସାମ୍ବାଦିକ ଅଟକ

ବଲାଙ୍ଗୀର, ୧୭/୮ : ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଅପହରଣ ଘଟଣାରେ ପୋଲିସ ଜଣେ ମହିଳା ସବ୍ ଇନ୍ସପେକ୍ଟରଙ୍କୁ ଅଟକ ରଖିଛି । ଏସ୍ଆଇ ସ୍ନେହାମଞ୍ଜରୀ ସାହୁ ଏବଂ ସଞ୍ଜୟ ଜେନାଙ୍କୁ ପୋଲିସ ଅଟକ ରଖିଛି । ସ୍ନେହାମଞ୍ଜରୀ ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ସାହୁର ଭଉଣୀ ବୋଲି ଜଣାପଡ଼ିଛି । ସେମାନଙ୍କୁ ପୋଲିସ ପଚରାଉଚରା କରୁଛି । ଅନ୍ୟପକ୍ଷରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ କ୍ଷୀତିଶ ସାହୁ ଓ ସଞ୍ଜିତ ବେହେରାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଗତ ଶୁକ୍ରବାର ବଲାଙ୍ଗିରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍ ଗୁଣ୍ଡା ସାହୁଙ୍କୁ ଅପହରଣ କରାଯାଇଥିଲା । ବଲାଙ୍ଗୀର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଭୁବନେଶ୍ୱରରୁ ଅପହୃତ ନରେନ୍ଦ୍ରଙ୍କୁ ୨୪ ଘଣ୍ଟା ଭିତରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ।
କ୍ଷୀତିଶ ସାହୁ ଓ ସଞ୍ଜିତ ବେହେରାଙ୍କୁ ପ୍ରଥମେ ଜେରା କରିଥିଲା । ତଦନ୍ତ ସମୟରେ ଏକ ଆର୍ଥିକ କାରବାରକୁ ନେଇ ଅପହରଣ କରାଯାଇଥିବା ପୋଲିସ ଜାଣିବାକୁ ପାଇଛି । ଗୋଟିଏ ପୁରାତନ ‘ହନୁମାନ କଏନ୍’ କିଣାବିକାକୁ କେନ୍ଦ୍ର କରି ଏହି ବିପୁଳ ପରିମାଣର ଟଙ୍କା ଦେଣନେଣ ହେବାର ଏକ ବଡ଼ ଡିଲ୍ ହୋଇଥିଲା।
ମାତ୍ର କୌଣସି କାରଣରୁ ଏହି ଡିଲ୍ ଫେଲ୍ ମାରିବା କିମ୍ବା ଟଙ୍କା ନେଣଦେଣରେ ଆପୋଷ ବିବାଦ ଉପୁଜିବାରୁ ଶ୍ରୀ ସାହୁଙ୍କୁ ଅପହରଣ କରାଯାଇଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରେ ଜଣାପଡିଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି ।
ସେପଟେ ଅପହୃତ ବ୍ୟବସାୟୀ ଗୁଣ୍ଡା ସାହୁ କହିଛନ୍ତି ଯେ ସେ ଅପହରଣକାରୀଙ୍କୁ ଚିହ୍ନି ନାହାଁନ୍ତି । ତାଙ୍କର କାହା ସହିତ ଟଙ୍କା ନେଣଦେଣ ହୋଇନାହିଁ । ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଅପହରଣର ପ୍ରକୃତ କାରଣ ବିସ୍ତୃତ ତଦନ୍ତ ପରେ ଜଣାପଡ଼ିବ ।

Related Posts