Odisha News

ଶ୍ରୀକ୍ଷେତ୍ର ପୁରୀ ସହ ଶାବର ଶ୍ରୀକ୍ଷେତ୍ର କୋରାପୁଟର ସିଧାସଳଖ ରେଳ ସଂଯୋଗ ସ୍ଥାପିତ : ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ, ୬/୭ : ଓଡ଼ିଶାର ରେଳ ଯୋଗାଯୋଗ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆଜି ଶ୍ରୀକ୍ଷେତ୍ର ପୁରୀ ସହ ଶାବର ଶ୍ରୀକ୍ଷେତ୍ର କୋରାପୁଟର ସିଧାସଳଖ ରେଳ ସଂଯୋଗ ସ୍ଥାପିତ ହୋଇଛି।
ୟମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଳିତ ଭାବେ ପୁରୀ ରେଳ ଷ୍ଟେସନରୁ ପୁରୀ-କୋରାପୁଟ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହ ବ୍ରହ୍ମପୁର-ସୁରଟ (ଉଧନା) ଅମୃତ ଭାରତ ଏକ୍ସପ୍ରେସର ଦୈନିକ ଚଳାଚଳର ମଧ୍ୟ ଶୁଭାରମ୍ଭ ହୋଇଛି।
ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ ପୁରୀ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଅନୁଗୋଳ, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼, ରାୟଗଡ଼ା ଓ ଦାମନଯୋଡ଼ି ଦେଇ କୋରାପୁଟକୁ ସଂଯୋଗ କରିବ। ଏହି ଟ୍ରେନ୍ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଯାତ୍ରୀ, ଛାତ୍ରଛାତ୍ରୀ, ରୋଗୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।
ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ କହିଥିଲେ ଯେ, ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ରେଳପଥରେ ଆହୁରି ମଜବୁତ ଭାବେ ଯୋଡ଼ିବା ପାଇଁ ସରକାର ପ୍ରତିବଦ୍ଧ। ରାଜ୍ୟରେ ପ୍ରାୟ ୯୭ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ୫୦ଟି ରେଳ ଷ୍ଟେସନର ପୁନଃବିକାଶ କାମ ମଧ୍ୟ ଜାରି ରହିଛି। ପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରୂପ ଦେବା ଦିଗରେ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି।
ମୁଖ୍ୟମନ୍ତ୍ରୀ ଉତ୍ତର ଓଡ଼ିଶାରୁ ପୁରୀକୁ ଏକ ନୂଆ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ଦେଇଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ତୁରନ୍ତ ଏହାକୁ ଅନୁମୋଦନ କରି ଖୁବ୍‌ଶୀଘ୍ର ଏହି ସେବା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି।
ସେହିପରି, ବ୍ରହ୍ମପୁର-ସୁରଟ ଅମୃତ ଭାରତ ଏକ୍ସପ୍ରେସ, ଯାହା ଏପର୍ଯ୍ୟନ୍ତ ସପ୍ତାହକୁ ତିନି ଦିନ ଚଳାଚଳ କରୁଥିଲା, ଏବେଠାରୁ ପ୍ରତିଦିନ ଚାଲିବ। ଏହା ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଯାତାୟାତକୁ ଆହୁରି ସହଜ କରିବା ସହ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଓ ବ୍ୟବସାୟୀଙ୍କ ପାଇଁ ବଡ଼ ସହାୟକ ହେବ।

Related Posts