Odisha News

ଭିମସାରର ୨ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌; ୩୦ ପ୍ଲଟ୍ ଠାବ, ଜଣଙ୍କ ଘରୁ ମିଳିଲା ନଗଦ ୧୯.୭୨ ଲକ୍ଷ

ସମ୍ବଲପୁର, ୩୦/୬ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାର ବୁର୍ଲାର ଏଷ୍ଟାବ୍ଲିସମେଣ୍ଟ ଅଫିସର୍-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିଭିନ୍ନ ଠିକଣାରେ ଚାଲିଥିବା ଭିଜିଲାନ୍ସ ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି।
୨୦ଟି ମୂଲ୍ୟବାନ ପ୍ଲଟ୍ ଚିହ୍ନଟ
ଭିଜିଲାନ୍ସ ସୂତ୍ର ଅନୁଯାୟୀ, ଏପର‌୍ୟ୍ୟନ୍ତ ହୋଇଥିବା ଚଢ଼ାଉରେ ଶ୍ରୀ ବିଶ୍ୱାଳ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୨ଟି କୋଠା, ୨୦ଟି ମୂଲ୍ୟବାନ ପ୍ଲଟ୍, ନଗଦ ୧୯ ଲକ୍ଷ ୭୨ ହଜାର ୪୯୦ ଟଙ୍କା ସମେତ ଅନେକ ସମ୍ପତ୍ତି ଠାବ କରାଯାଇଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଧନକଉଡାଠାରେ ପ୍ରାୟ ୧୬୫୦ ବର୍ଗଫୁଟର ଏକ ଦୁଇ ମହଲା ବାସଭବନ ଓ ଗୁଡେସିଙ୍ଗାରେ ଆଉ ଏକ କୋଠା ରହିଛି। ଏହାଛଡ଼ା ସମ୍ବଲପୁର ସହର ଉପକଣ୍ଠରେ ଥିବା ୨୦ଟି ମୂଲ୍ୟବାନ ଜମି ପ୍ଲଟ୍ ମଧ୍ୟ ଚିହ୍ନଟ କରାଯାଇଛି।
ଭିଜିଲାନ୍ସର ବୈଷୟିକ ବିଭାଗ ପକ୍ଷରୁ ଏହି କୋଠା ଓ ପ୍ଲଟ୍‌ଗୁଡ଼ିକର ମାପ ସହ ମୂଲ୍ୟାଙ୍କନ କାର‌୍ୟ୍ୟ ଜାରି ରହିଛି। ସେହିପରି ସୁନା ଅଳଙ୍କାରର ଓଜନ ନିର୍ଦ୍ଧାରଣ କରାଯାଉଥିବା ବେଳେ ବ୍ୟାଙ୍କ ଜମା, ଡାକଘର ସଞ୍ଚୟ ଓ ଅନ୍ୟାନ୍ୟ ଆର୍ଥିକ ବିନିଯୋଗର ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି। ଚଢ଼ାଉ ସମୟରେ ଏକ ହାଇୱା ଟ୍ରକ୍, ଏକ ଚାରିଚକିଆ ଯାନ, ଦୁଇଟି ଟ୍ରାକ୍ଟର ଓ ତିନିଟି ଦୁଇଚକିଆ ଯାନ ମଧ୍ୟ ଠାବ ହୋଇଛି। ଭିଜିଲାନ୍ସର ଚଢ଼ାଉ ଅଭିଯାନ ଜାରି ରହିଥିବା ବେଳେ ଆଗାମୀ ରିପୋର୍ଟରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।
ପୂର୍ବ ସୂଚନା ଅନୁସାରେ,ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଭିମସାର, ବୁର୍ଲାର-ଏଷ୍ଟାବ୍ଲିସମେଣ୍ଟ ଅଫିସର୍ କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ୪ଟି ଠିକଣାରେ ସୋମବାର ସକାଳୁ ଏକକାଳୀନ ଚଢ଼ାଉ କରାଯାଇଥିଲା।
ଶ୍ରୀ ବିଶ୍ୱାଳ ନିଜ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗର ତଦନ୍ତ ପାଇଁ ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରିଥିଲେ। ୨ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଚଢ଼ାଉ କରିଥିଲେ।
ଚଢ଼ାଉ ହେଉଥିବା ସ୍ଥାନ
୧.ଧନକଉଡାସ୍ଥିତ ଶ୍ରୀ ବିଶ୍ୱାଳଙ୍କ ଦୁଇ ମହଲା ବାସଭବନ।
୨.ସମ୍ବଲପୁର ଗୁଡେସିଙ୍ଗା ଅଞ୍ଚଳରେ ଥିବା ଏକ ଘର।
୩.ଭିମସାର, ବୁର୍ଲା ମେଡିକାଲ ଷ୍ଟାଫ୍ କଲୋନୀରେ ଥିବା ସରକାରୀ କ୍ୱାର୍ଟର।
୪.ଭିମସାର, ବୁର୍ଲାସ୍ଥିତ ତାଙ୍କ କାର‌୍ୟ୍ୟାଳୟ ଗୃହ।

Related Posts