ରାୟଗଡ଼ା ଗଣଆକ୍ରମଣ ମାମଲାକୁ ‘ରେଡ୍ ଫ୍ଲାଗ୍’ ସହ କଡ଼ା ଆକ୍ସନ୍, ୨୦ ଗିରଫ
ଭୁବନେଶ୍ୱର, ୨୧/୬: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଥିବା ସେହି ସେଞ୍ଚୁରୀର ସବୁଠାରୁ ସମ୍ବେଦନଶୀଳ ଭିଡ଼ ହିଂସା ମାମଲାରେ ଏବେ ପୋଲିସ ମୁଖ୍ୟାଳୟ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଏହି ମାମଲାକୁ \’ରେଡ୍ ଫ୍ଲାଗ୍\’ ଶ୍ରେଣୀଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ସ୍ୱତନ୍ତ୍ର ତଦନ୍ତ ପାଇଁ ମଧ୍ୟ ବଡ଼ ପଦକ୍ଷେପ ନିଆଯାଇଛି।
ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମ୍ ଏଗେନ୍ଷ୍ଟ ଓମେନ୍ ଆଣ୍ଡ ଚିଲ୍ଡ୍ରେନ୍ ୱିଙ୍ଗ (ଉଇଡ) ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ହାତକୁ ନେଇଛି। ଏଡିଜି ଏସ୍. ସାଇନିଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଉଇଡ ର ଏକ ସ୍ୱତନ୍ତ୍ର ଏକ୍ସପର୍ଟ ଟିମ୍ ଖୁବଶୀଘ୍ର ରାୟଗଡ଼ା ଗସ୍ତ କରିବ। ସବୁଠାରୁ ବଡ଼ କଥା ହେଉଛି, ପୀଡ଼ିତ ଯୁବକ ଓ ଯୁବତୀ ଦିଲ୍ଲୀ ଓ ଗୁଜରାଟର ହୋଇଥିବାରୁ ଏବଂ ବର୍ତ୍ତମାନ ସେମାନେ ନିଜ ସହରକୁ ଫେରିଯାଇଥିବାରୁ, ଆବଶ୍ୟକ ପଡ଼ିଲେ ପୋଲିସ ଟିମ୍ ଦିଲ୍ଲୀ ଏବଂ ଗୁଜରାଟ ଯାଇ ମଧ୍ୟ ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି।
ବର୍ତ୍ତମାନ ସୁଦ୍ଧା ଆକ୍ରମଣର ଶିକାର ହୋଇଥିବା ଉଭୟ ଯୁବକ ଓ ଯୁବତୀଙ୍କ ବୟାନ ରେକର୍ଡ ପ୍ରକ୍ରିୟା ଶେଷ ହୋଇଛି। ଅନ୍ୟପଟେ ଘଟଣାରେ ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ରାୟଗଡ଼ା ପୋଲିସର କାର୍ୟ୍ୟଦକ୍ଷତାକୁ ଡିଜିପି ଖୁରାନିଆ ବେଶ୍ ପ୍ରଶଂସା କରିଛନ୍ତି। ମାମଲାରେ ଏବେ ସୁଦ୍ଧା ମୋଟ୍ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି ଏବଂ ଆଗକୁ ଏହି ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୬ ତାରିଖ ରାତିରେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କନ୍ଦୁଲଗୁଡ଼ା ଗ୍ରାମ ନିକଟରେ ଏକ ଲୋମହର୍ଷଣକାରୀ କାଣ୍ଡ ଘଟିଥିଲା। ଦିଲ୍ଲୀର ଜଣେ ୨୨ ବର୍ଷୀୟା ଯୁବତୀ ଏବଂ ଗୁଜରାଟର ଜଣେ ଯୁବକ (ଉଭୟ ଏକ ସ୍ୱେଚ୍ଛାସେବୀ ସଂଗଠନର ଫେଲୋସିପ୍ ଷ୍ଟୁଡେଣ୍ଟ) କନ୍ଧମାଳର ଦାରିଙ୍ଗବାଡ଼ିରୁ କଳାହାଣ୍ଡିର ଥୁଆମୂଳ ରାମପୁରକୁ ସ୍କୁଟିରେ ଯାଉଥିଲେ। ରାସ୍ତା ଭୁଲିଯିବା ଯୋଗୁଁ ସେମାନେ ଗୁଗଲ୍ ମ୍ୟାପ୍ର ସାହାଯ୍ୟ ନେଇ ଏହି ଗାଁ ଭିତରକୁ ପଶି ଆସିଥିଲେ।
ସେଠାରେ ଆଇନକୁ ହାତକୁ ନେଇ କିଛି ସ୍ଥାନୀୟ ଲୋକ ଓ ସଂଗଠନ ଏହି ଭିଡ଼ ହିଂସା ଘଟାଇଥିଲେ, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମାମଲାଟି ଦିଲ୍ଲୀ କନେକ୍ସନ ସହ ମଧ୍ୟ ଯୋଡ଼ି ହେଉଥିବା ଚର୍ଚ୍ଚା ହେଉଥିବାରୁ ଏବେ ଏହାକୁ ଗୁରୁତ୍ୱର ସହ ନେଇ ସରକାର ଓ ପୋଲିସ ମହାନିର୍ଦ୍ଦେଶକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।




