ଗଜପତି : ଜିଲ୍ଲାସ୍ତରୀୟ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳନ ଅବସରରେ ଶ୍ରମ ମୁକ୍ତ ଗଠନ ପାଇଁ ଯୁବ ସ୍ଵରଙ୍କ ଆହ୍ଵାନ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୬ : ଜିଲ୍ଲାସ୍ତରୀୟ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ-୨୦୨୬ ଉପଲକ୍ଷେ ସାପ୍ତାହିକ ଅଭିଯାନ-୨୦୨୬ ପାଳନ ଅବସରରେ ଆଇ:ଏସ:ଆର:ଡି: ୱାନ୍ ଷ୍ଟପ୍ ସେଣ୍ଟର , ଗଜପତି ପକ୍ଷରୁ ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ସକାଶେ ଶତାଧିକ ସଂଖ୍ୟାରେ ଯୁବ ସମାଜ , ବୁଦ୍ଧିଜୀବୀ , ଅଙ୍ଗନବାଡି କର୍ମୀ ଓ ସ୍ବଚ୍ଛସାଥୀ ପ୍ରମୁଖଙ୍କ ମାଧ୍ୟମରେ ଏକ ସଚେତନତା ରଥ ସମେତ ବିରାଟ ରାଲିର ଆୟୋଜନ କରା ଯାଇଥିଲା।
ମୁଖ୍ୟତଃ ଶିଶୁ ଶ୍ରମ ନିରାକରଣ , ଶିଶୁ ଅଧିକାର ସୁରକ୍ଷା ଏବଂ ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ସଚେତନତା ରଥ ଓ ରାଲିକୁ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ ଉଦଘାଟନ କରି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ରାଲିଟି ପାରଳାଖେମୁଣ୍ଡି ସହରର ବିଭିନ୍ନ ପ୍ରମୁଖ ଅଞ୍ଚଳ ପରିକ୍ରମା କରି ଆଇ:ଏସ:ଆର:ଡି: ୱାନ୍ ଷ୍ଟପ୍ ସେଣ୍ଟର କାର୍ଯ୍ୟାଳୟ ପରିସରରେ ସମାପ୍ତ ହୋଇଥିଲା । ରାଲିରେ ଅଂଶଗ୍ରହଣକାରୀ ମାନେ ଶିଶୁ ଶ୍ରମ ବିରୋଧୀ ସ୍ଲୋଗାନ ଦେବା ସହ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଫାଲଗୁନି ମାଝୀ କହିଥିଲେ ଯେ , ଶିଶୁ ଶ୍ରମ ସମାଜ ପାଇଁ ଏକ ଗୁରୁତର ଅଭିଶାପ।
ଏହା ଶିଶୁମାନଙ୍କର ଶିକ୍ଷା , ସ୍ୱାସ୍ଥ୍ୟ , ସୁରକ୍ଷା ଏବଂ ଉଜ୍ଜ୍ୱଳ ଭବିଷ୍ୟତକୁ ବାଧାପ୍ରାପ୍ତ କରିଥାଏ। ପ୍ରତ୍ୟେକ ଶିଶୁଙ୍କର ଶିକ୍ଷା ଲାଭ କରିବା , ଖେଳିବା ଏବଂ ନିରାପଦ ପରିବେଶରେ ବଢ଼ିବାର ଅଧିକାର ରହିଛି। ଶିଶୁ ଶ୍ରମ ନିରାକରଣ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ସମାଜର ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ। ଅଭିଭାବକ, ଶିକ୍ଷକ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ଜନତାଙ୍କୁ ଶିଶୁ ଶ୍ରମ ବିରୋଧରେ ସଚେତନ ହୋଇ ଶିଶୁ ମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସେକ୍ରେଟାରୀ ଶ୍ରୀ ବିମଳ ରାଉଳ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ, ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷ୍ୟ ଶ୍ରୀ ଅମିୟ ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଆଇଏସଆରଡି ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ, ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡ଼ରଇତ , ହବର ଜିଲ୍ଲା ସଂଯୋଜକ ଶ୍ରୀ ଏଲ୍. ରାମ ପ୍ରସାଦ , ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ ମିଶ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ସୋଲେମନ ରାଇକା , ଏଏଲଓ ଶ୍ରୀ ଅମିତ ନାୟକ , ଡ଼ିପିଏମ-ଓଏଲଏମ ଶ୍ରୀ ଟିମନ ବାରା ଜିଲ୍ଲା ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମି ନାୟକ , ଓ:ଏଲ:ଏମ: ଅନ୍ତର୍ଗତ ସ୍ୱୟଂ ପ୍ରକଳ୍ପର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ ରସଂଯୋଜିକା ବୈଶାଳୀ ପଟ୍ଟନାୟକ , ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ , ସୁପରଭାଇଜର , ସ୍ୱଚ୍ଛସାଥୀ , ଡିସିପିଓ , ଡିଏସଡବ୍ଲୁଓ , ସିଡିପିଓ କାର୍ୟ୍ୟାଳୟର ଅଧିକାରୀ ଓ କର୍ମଚାରୀ , ବି.ଆର୍. ଆମ୍ବେଦକର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯେଉଁମାନେ ଆଇ:ଏସ:ଆର:ଡି – ଇଣ୍ଟର୍ଣ୍ଣସିପ୍ କରୁଥିବା ଛାତ୍ରଛାତ୍ରୀ , ଅଙ୍ଗନୱାଡ଼ି କର୍ମୀ ଏବଂ ଆଇଏସଆରଡି ୱାନ୍ ଷ୍ଟପ୍ ସେଣ୍ଟରର ସମସ୍ତ କର୍ମଚାରୀ ଯୋଗଦେଇଥିଲେ।
ଏହି ସମଗ୍ର କାର୍ଯ୍ୟକ୍ରମର ଯୋଜନା , ସମନ୍ୱୟ ଏବଂ ସଫଳ ରୂପାୟନରେ ଆଇଏସଆରଡି\’ର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
ତାଙ୍କ ଦୂରଦର୍ଶୀ ନେତୃତ୍ୱ , ସଠିକ୍ ପରିକଳ୍ପନା ଏବଂ ନିରନ୍ତର ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ଆୟୋଜିତ ହୋଇ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।
ଜିଲ୍ଲା ପ୍ରଶାସନ , ବିଭିନ୍ନ ବିଭାଗର ଅଧିକାରୀ , ସାମାଜିକ ସଂଗଠନ ଏବଂ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ ଏହି ସଚେତନତା ଅଭିଯାନକୁ ଅଧିକ ପ୍ରଭାବଶାଳୀ ଏବଂ ସଫଳ କରିଥିଲା।
ସମସ୍ତ ବକ୍ତା ଶିଶୁ ଶ୍ରମ ନିରାକରଣ , ଶିଶୁ ସୁରକ୍ଷା , ଶିକ୍ଷାର ପ୍ରସାର ଏବଂ ଶିଶୁ ଅଧିକାର ସୁନିଶ୍ଚିତ କରିବା ପାଇଁ ସମାଜର ସମସ୍ତ ସ୍ତରର ଲୋକ\’ଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ।
କାର୍ଯ୍ୟକ୍ରମ ଶେଷରେ ସମସ୍ତେ ଶିଶୁ ଶ୍ରମ ମୁକ୍ତ ଗଜପତି ଗଠନ ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ୱାନ ଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ପରିଚାଳନା କରିଥିବା ବେଳେ କେନ୍ଦ୍ରର ମୋହିନୀ ପ୍ରଧାନ , ସୁନିତା ବେହେରା , ସ୍ୱାଗତିକା ଦାସ , ମୋନାଲିସା ବେହେରା , ମଧୁସ୍ମିତା ପାଢ଼ୀ , ନାଗେଶ୍ୱର ଚୌଧୁରୀ , ଦିବ୍ୟ ସୁଆର , ହରି ଚୌଧୁରୀ , ଟି ସୁରେଶ କୁମାର ପ୍ରମୁଖ ସହଯୋଗ କରିଥିଲେ ।




