Odisha News

ବୌଦ୍ଧ ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପାଇଁ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୫: ବୌଦ୍ଧ ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଡେପୁଟି କଲେକ୍ଟର (ନିର୍ବାଚନ) ମନସିତ ସ୍ଵରୂପ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଏହି ସମ୍ମିଳନୀରେ ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ ସାକ୍ଷାତକାର ଦେଇ କହିଲେ ଯେ, ଭାରତୀୟ ନିର୍ବାଚନ କମିଶନ (ଋଉଓ)ଙ୍କ ନିର୍ଦ୍ଦେଶକ୍ରମେ ୮୫-କଣ୍ଟାମାଳ ଓ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ର ପର୍ଯ୍ୟାୟ-୩ ଆସନ୍ତା ୩୦ ମେ ୨୦୨୬ ରୁ ଆରମ୍ଭ ହେବ । ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ଶୁଦ୍ଧିକରଣ ଓ ସଠିକ୍ ତଥ୍ୟ ସଂଗ୍ରହ ପାଇଁ ଏହି ଦେଶବ୍ୟାପୀ ଅଭିଯାନ ଚାଲୁ ରହିଛି ।
ସ୍ଵତନ୍ତ୍ର ସଘନ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ୍ ଓ ସ୍ୱଚ୍ଛ କରିବା । ଏହା ମାଧ୍ୟମରେ ନକଲି ଭୋଟର, ମୃତ ବ୍ୟକ୍ତି ଓ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଯିବା ସହ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସଠିକ୍ ଭାବେ ଭୋଟର ତାଲିକାରେ ସମ୍ମିଳିତ କରାଯିବ ।
ସମଗ୍ର ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିର୍ପେକ୍ଷ ରଖିବା ପାଇଁ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସହଯୋଗ ନିଆଯାଉଛି । ବୌଦ୍ଧ ଜିଲ୍ଲାରେ ମୋଟ ୪୧୫ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ଘରେ ଘରେ ପହଞ୍ଚି ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ ଏବଂ ଫର୍ମ ପୂରଣରେ ମାର୍ଗଦର୍ଶନ କରିବେ ।
ପୂରଣ ହୋଇଥିବା ଫର୍ମ ସଂଗ୍ରହ କରିବା ପରେ ଭୋଟରଙ୍କୁ ଏକ ସ୍ୱୀକୃତି ପତ୍ର ମଧ୍ୟ ପ୍ରଦାନ କରାଯିବ । ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର ପ୍ରାୟ ୩ ଲକ୍ଷ ୩୭ ହଜାର ୩୩୮ ଜଣ ଭୋଟରଙ୍କ ତଥ୍ୟ ଯାଞ୍ଚ କରାଯିବ ।
ସମସ୍ତ ରାଜନୈତିକ ଦଳଙ୍କୁ ପ୍ରତ୍ୟେକ ବୁଥ୍ ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ନିଯୁକ୍ତ କରିବାକୁ ଭାରତୀୟ ନିର୍ବାଚନ କମିଶନ ଅନୁରୋଧ କରିଥିବାବେଳେ ବୌଦ୍ଧ ଜିଲ୍ଲାରେ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ବୁଥ୍ ପାଇଁ BLAନିଯୁକ୍ତି କରାଯାଇଥିବା ସୂଚନା ଦିଆଯାଇଥିଲା ।
ଝଓଜ ପର୍ଯ୍ୟାୟ-୩ ର ସମୟସୂଚୀ ଅନୁଯାୟୀ ୨୦ ମେରୁ ୨୯ ମେ ୨୦୨୬ ପର୍ଯ୍ୟନ୍ତ BLOମାନଙ୍କ ପ୍ରଶିକ୍ଷଣ ଓ ଫର୍ମ ପ୍ରିଣ୍ଟିଂ କାର୍ଯ୍ୟ ସମ୍ପନ୍ନ ହେବ ।
୩୦ ମେରୁ ୨୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଘରକୁ ଘର ବୁଲି ତଥ୍ୟ ଯାଞ୍ଚ ଓ ପୋଲିଂ ଷ୍ଟେସନ ପୁନର୍ଗଠନ କାର୍ଯ୍ୟ କରାଯିବ । ୧ ଜୁଲାଇ ୨୦୨୬ ଯୋଗ୍ୟତା ତାରିଖ ରୂପେ ନିର୍ଦ୍ଧାରିତ ହୋଇଥିବାବେଳେ ୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ।
୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯିବା ସହ ୬ ସେପ୍ଟେମ୍ବର ୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ଯଦି କୌଣସି ଭୋଟରଙ୍କ ଘରକୁ BLO ପହଞ୍ଚି ନାହାଁନ୍ତି କିମ୍ବା କୌଣସି ଅଭିଯୋଗ ରହିଛି, ତେବେ ସେମାନେ ଜାତୀୟ ଭୋଟର ସହାୟତା ନମ୍ବର ୧୯୫୦ ରେ ଯୋଗାଯୋଗ କରିପାରିବେ । ଏହାସହ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ବୌଦ୍ଧର ଫୋନ୍ ନମ୍ବର ୯୪୩୮୫୪୬୦୮୪ ଓ ୦୬୮୪୧-୨୨୨୨୦୭ କିମ୍ବା boudhelection@gmail.com ମାଧ୍ୟମରେ ମଧ୍ୟ ସମ୍ପର୍କ କରିପାରିବେ । ଭୋଟରମାନେ Voter Helpline App ଡାଉନଲୋଡ୍ କରି କିମ୍ବା voters.eci.gov.in ୱେବସାଇଟ ଓ ECINET App ମାଧ୍ୟମରେ ନିଜ ଭୋଟର ସମ୍ବନ୍ଧୀୟ ସୂଚନା ଯାଞ୍ଚ ଓ ସଂଶୋଧନ କରିପାରିବେ ।
ଏହି ରେ ମଧ୍ୟ “Book a Call with BLO” ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଶେଷରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଭୋଟରଙ୍କୁ ଏହି ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ସକ୍ରିୟ ସହଭାଗୀ ହୋଇ ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜଣାଇ ଏହାର ବିହୀତ ପ୍ରଚାର ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ ।

Related Posts