Odisha News

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା, ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପୁନଃବିଚାର କରାଯାଉ

ଭୁବନେଶ୍ୱର, ୧୦/୪ : ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ପୁଣି ଥରେ ରାଜନୀତି ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଉପରେ ପୁନର୍ବିଚାର କରିବାକୁ ରାଜ୍ୟ ସରକାରଙ୍କ ନିକଟକୁ ଘନ ଘନ ଗୁହାରୀ ଆସୁଛି ।
ଏହି କ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି । ସାଂସଦ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ମେଟ୍ରୋ ପ୍ରକଳ୍ପ ପାଇଁ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ପୁନଃ ବିଚାର କରିବାକୁ ଅନୁରୋଧ କରିଛନ୍ତି ।
ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱର ସହରରେ ଜନବସତି ବଢ଼ିବା ସହିତ ଲୋକଙ୍କ ପାଇଁ ଏକ ଆଧୁନିକା ପରିବହନ ବ୍ୟବସ୍ଥାର ଜରୁରୀ ଅଛି ।
ମେଟ୍ରୋ ଭୁବନେଶ୍ୱର ସହିତ କଟକ, ଖୋର୍ଦ୍ଧା ଓ ଜଟଣୀକୁ ସଂଯୋଗ କରିବ । ମେଟ୍ରୋ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ମହିଳା, ଶିଶୁ, ଛାତ୍ରଛାତ୍ରୀ, ଅଫିସ ଯାଉଥିବା କର୍ମଚାରୀଙ୍କ ପାଇଁ ଏକ ଭଲ ପରିବହନ ବ୍ୟବସ୍ଥା ଦେଇପାରିବ ।
ଏଥିପାଇଁ ସେ ନିଜେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଭାବେ ଚିଠି ଲେଖିବା ସହିତ ନିଜେ ମଧ୍ୟ ଗତ ୩୦ ନଭେମ୍ବର ୨୦୨୪ରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟାଳୟ ପରିଦର୍ଶନ କରି ସମୀକ୍ଷା କରିଥିଲା । ଯାହାକି ତାଙ୍କୁ ବହୁତ ଆକୃଷ୍ଟ କରିଥିଲା । ଏହି ପ୍ରକଳ୍ପ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ବେଶ ଲାଭଦାୟକ ହେବ । କେବଳ ଜନସଂଖ୍ୟା ଓ ଆର୍ଥିକ କାରଣକୁ ନେଇ ଏହାକୁ ବନ୍ଦ କରିବା ଉଚିତ ହେବ ନାହିଁ ବୋଲି ସାଂସଦ କହିଛନ୍ତି ।
ସାଂସଦ ଆହୁରି ଉଲ୍ଲଖେ କରିଛନ୍ତି ଯେ ସରକାର ଲାଭ ପାଇଁ ନୁହେଁ ବରଂ ବୃହତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି କିଛି ଉନ୍ନୟନମୂଳକ ପ୍ରକଳ୍ପ ହାତକୁ ନେଇଛନ୍ତି । ଭାରତର କୌଣସି ମେଟ୍ରୋ ତୁରନ୍ତ ଲାଭ ପାଇବାର ଆଶା ନେଇ କାର୍ଯ୍ୟକାରୀ କରାଯାଇ ନାହିଁ। ଏଗୁଡ଼ିକୁ ସମ୍ପୃକ୍ତ ରାଜ୍ୟ ସରକାର ସବସିଡି ଦିଅନ୍ତି ।
ତେଣୁ ସାଂସଦ କହିଛନ୍ତି ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଜନସାଧାରଣଙ୍କ ସମର୍ଥନ ସ୍ପଷ୍ଟ ଭାବରେ ଦେଖାଯାଉଛି । ଜନସାଧାରଣଙ୍କ ଇଚ୍ଛା ଏବଂ ଚାହିଦାକୁ ଅଣଦେଖା କଲେ, ଜନସାଧାରଣଙ୍କ ଆଶା ଏବଂ ବିକାଶ ପ୍ରତିଶ୍ରୁତି ଉପରେ ଥିବା ବିଶ୍ୱାସକୁ ଦୁର୍ବଳ କରିବାର ଆଶଙ୍କା ରହିଛି। ତେଣୁ ୪ ଏପ୍ରିଲ, ୨୦୨୬ରେ ନିଆଯାଇଥିବା ରାଜ୍ୟ କ୍ୟାବିନେଟ ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି ।
ସେହିପରି କେନ୍ଦ୍ରୀୟ ସ୍ତରରେ ସମ୍ପୃକ୍ତ ବିଭାଗଗୁଡ଼ିକ ସହିତ ଯୋଗାଯୋଗକୁ ସୁଗମ କରିବା, ଅନୁମୋଦନ ପାଇବା ଏବଂ ଅତ୍ୟନ୍ତ ଆବଶ୍ୟକୀୟ ମେଟ୍ରୋ ରେଳ ପ୍ରକଳ୍ପକୁ ଆଗକୁ ବଢାଇବା ପାଇଁ କେନ୍ଦ୍ରରୁ ପାଣ୍ଠି ପାଇଁ ଯେକୌଣସି ସହାୟତା କରିବାକୁ ସେ ପ୍ରସ୍ତୁତ ଅଛନ୍ତି ।

Related Posts