କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବନି, ଦୁର୍ନୀତି କ୍ଷେତ୍ରରେ ଆମ ନୀତି ହେଉଛି ‘ଶୂନ୍ୟ ସହନଶୀଳତା

ଭୁବନେଶ୍ୱର,୪/୬: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ରାଜସ୍ୱ ପ୍ରଶାସନର ମେରୁଦଣ୍ଡ । ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ କ୍ଷ
ତହସିଲଦାରଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ । ଆଜି ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କର୍ମଶାଳାରେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ବିଜେପି ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକଭିମୁଖୀ କରିବା ପାଇଁ ପ୍ରତିଶୃତିବଦ୍ଧ । ଓଡ଼ିଶାରେ କେହିବି ଭୂମିହୀନ ରହିବେ ନାହିଁ ।
ଯେଉଁମାନଙ୍କର ୪ ଡେସିମିଲରୁ କମ ଜମି ଅଛି, ସେମାନେ ଭୂମିହୀନ ଭାବେ ଗଣାହେବେ ଏବଂ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ । ତେଣୁ, ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁ କରିବା ପାଇଁ ତହସିଲଦାରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
ଲୋକଙ୍କ ସରକାର ହିସାବରେ ଲୋକ ଏବଂ ସରକାରଙ୍କ ବ୍ୟବଧାନ କମାଇବା ଦରକାର । ନ୍ୟାୟ ପ୍ରଦାନ କରିବା ଆମର ପ୍ରଥମ କର୍ତ୍ତବ୍ୟ । ସେହିପରି ବାତ୍ୟାରେ ଦାନାରେ ଶୂନ୍ୟ ମୃତ୍ୟୁହାର ସହିତ ସଫଳ ମୁକାବିଲା ପାଇଁ ଆତ୍ମ ସନ୍ତୋଷ ଅନୁଭବ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଜବରଦଖଲରେ ଥିବା ବହୁତ ମୂଲ୍ୟବାନ ସରକାରୀ ଜମି ଜମିକୁ ଜବରଦଖଲମୁକ୍ତ କରି ତାହାର ସୁରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଆଗାମୀ ଦିନରେ ସରକାର ଅନେକ ରାଜସ୍ୱ କ୍ଷେତ୍ରରେ ଅନେକ ସଂସ୍କାର ଆଣିବାକୁ ଯାଉଛନ୍ତି । ତେଣୁ ସମୟ ସୀମା ମଧ୍ୟରେ ଦାଖଲ ଖାରଜ ମାମଲା ଓ ଅନ୍ୟାନ୍ୟ ଜମିଜମା ମାମଲାର ତ୍ୱରିତ ଫଇସଲା କରନ୍ତୁ କ୍ଷ ଜମିଜମା ସଙ୍କ୍ରାନ୍ତିୟ ମାମଲା ବିଚାର କଲାବେଳେ ସଂପୂର୍ଣ୍ଣ ସ୍ଵଚ୍ଛତା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପର ଆସୁଥିବା ମୌସୁମୀ ବର୍ଷା ପାଇଁ ଆଗୁଆ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଗଲାଣି ।
ତେଣୁ, ସମସ୍ତେ ପାଣିପାଗ ବିଭାଗଦ୍ଵାରା ଜାରି ପାଣିପାଗ ସୂଚନାକୁ ନିୟମିତ ଭାବେ ଅନୁଧ୍ୟାନ କରିବା ସହିତ ତଦନୁସାରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ମାର୍ଗଦର୍ଶିକା ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ ।
ଚଳିତ ମାସ ଠାରୁ ଆରମ୍ଭ କରି ନଭେମ୍ବର ପର୍ଯ୍ୟନ୍ତ ମୌସୁମୀ ବର୍ଷା ଏବଂ ବାତ୍ୟା ଲାଗି ରହିବ। ତେଣୁ, ଏଥିପାଇଁ ନିଜ ନିଜ ଅଞ୍ଚଳର ପାରିପାର୍ଶିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରା ପ୍ରଶାସନକୁ ପ୍ରସ୍ତୁତ କରିବାକୁ ରାଜସ୍ୱ ବିଭାଗକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବି. ପରମେଶ୍ୱରନ ପ୍ରମୁଖ ଉପସ୍ଥିତ ଥିଲେ ।
ଏତଦ୍ ବ୍ୟତୀତ ଦୁଇ ଦିନିଆ କର୍ମଶାଳାର ପ୍ରଥମ ଅଧିବେଶନରେ ସମସ୍ତ ଜିଲ୍ଲାର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର ମାନେ ଅଂଶଗ୍ରହଣ କରିଛନ୍ତି ।