ଆନ୍ତାର୍ଜାତିକ ଶ୍ରମିକ ଦିବସ -ଏହାର ଇତିହାସ ଏବଂ ବତର୍ମାନର ପ୍ରାସଙ୍ଗିକତା

ପ୍ରତ୍ୟେକ ବର୍ଷ ଭାରତ ସମେତ ସମଗ୍ର ବିଶ୍ୱରେ ମେ’ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବରେ ପାଳନ କରାଯାଏ । ଭାରତରେ ୧୯୨୩ ମସିହା ଠାରୁ ଶ୍ରମିକ ଦିବସକୁ ଭିନ୍ନଭିନ୍ନ ନାମରେ ଯଥା ଶ୍ରମିକ ଦିବସ, ଆନ୍ତର୍ଜାତୀୟ ଶ୍ରମିକ ଦିବସ ଓ ମଇ ଦିବସ ଭାବରେ ମଧ୍ୟ ପାଳନ କରାଯାଇଆସୁଅଛି
ମେ’ ୧ ତାରିଖ ବିଶ୍ୱର ଶ୍ରମିକ ଏବଂ ଶ୍ରମିକ ସାମାଜିକ ଶ୍ରେଣୀକୁ ଉତ୍ସର୍ଗୀକୃତ ଅଛି । ଚୀନ୍, ଟାଜାଂନିଆ, ଜିମ୍ବାୱେ, ଦକ୍ଷିଣ ଆଫ୍ରିିକା ଓ ଟ୍ୟୁନିସିଆ ସମେତ ବିଶ୍ୱର ଅନେକ ଦେଶଗୁଡ଼ିକ ମେ ୧କୁ ଜାତୀୟ ଛୁଟି ଦିବସ ଭାବେ ମଧ୍ୟ ପାଳନ କରନ୍ତି । ଭାରତ ଭିତରେ ବହୁତ ଅନେକ ରାଜ୍ୟ ଯଥା ତାମିଲନାଡୁ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଏହି ଦିନଟିକୁ ଛୁଟିଦିନ ପାଳନ କରନ୍ତି ।
ଦେଶ ଓ ଜାତି ନିର୍ମାଣରେ ଶ୍ରମିକ ଏବଂ ସାମାଜିକ ଶ୍ରେଣୀର ଅବଦାନକୁ ସ୍ୱୀକୃତି ଦେବା ଓ ସମ୍ମାନ ପାଇଁ ଶ୍ରମିକ ଦିବସଟି ସମର୍ପିତ । ପ୍ରତିବର୍ଷ ଏହି ଦିନ ବିଭିନ୍ନ ଶ୍ରମିକ ସଂଘ ଏବଂ ସାମ୍ବାଦିକ ସଂଘ ନିଜକୁ ଏକାଠି କରି ରଖିବା ଓ ଏକ ସୁସ୍ଥ ସମାଜ ଗଠନ ପାଇଁ ଶପଥ ନେଇଥାନ୍ତି । ଏଥି ସହିତ ସେମାନଙ୍କ ସ୍ୱାର୍ଥ କିପରି ସୁରକ୍ଷା କରାଯାଇପାରିବ ସେ ନେଇ ମଧ୍ୟ ସଙ୍କଳ୍ପ ନେଇଥାନ୍ତି । ଆଜି ଦିନ ଶ୍ରମିକ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା ପାଇଁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସଭା ଓ ଆଲୋଚାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ଆଲୋଚନାରେ ସରକାର ଓ ଶ୍ରମିକ ସଂଘଗୁଡିକର ପ୍ରତିନିଧିମାନେ ଯୋଗଦେଇ ସମାଜ ଗଠନରେ ଉଭୟଙ୍କର ଭୂମିକା ଉପରେ ଆଲୋକପାତ କରିଥାନ୍ତି ।
ଗଣମାଧ୍ୟମରେ କାର୍ଯ୍ୟକରୁଥିବା ଲୋକମାନେ ଏହି ଦିନଟକୁ ମଧ୍ୟ ଢେର ଉତ୍ସାହର ସହିତ ପାଳନ କରିଥାନ୍ତି । ଟେଲିଭିଜନ , ଖବରକାଗଜ ଏବଂ ରେଡିଓ ଷ୍ଟେସନମାନେ ଆଜିର ଦିନରେ ଅନେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରିଥାନ୍ତି ।
ଶ୍ରମିକ ଦିନ ବା ମଇ ଦିନ ଏକ ୧୩୭ ବର୍ଷର ପରମ୍ପରା । ଏହି ଦିବସର ମୂଳଭିତ୍ତି ରହିଛି ଆମେରିକା ଦେଶର ଚିକାଗୋ ସହରରେ । ୧୮୮୬ ମସିହାରେ ଏକ ବିଶାଳ ଶ୍ରମିକ ସଂଘର୍ଷ ବା ଉତ୍ତେଜନାରୁ ଏହି ଦିବସର ସୃଷ୍ଟି । ସେହି ସମୟରେ ଶିଳ୍ପପତିମାନେ ଶ୍ରମିକମାନଙ୍କୁ ଦିନକୁ ୧୮ ଘଣ୍ଟା ଖଟାଉଥାନ୍ତି । ସୂର୍ଯ୍ୟୋଦୟରୁ ସୂର୍ଯାସ୍ତ ପର୍ଯ୍ୟନ୍ତ ଶ୍ରମିକମାନେ କାରଖାନାରେ କାମ କରୁଥିଲେ । ଶ୍ରମିକମାନେ କିନ୍ତୁ ଦିନକୁ ଆଠ ଘଣ୍ଟା ଶ୍ରମଦାନ ପାଇଁ ଦାବି କରୁଥାନ୍ତି । କିନ୍ତୁ ଯେତେବେଳେ ଶିଳ୍ପପତିମାନେ ସେମାନଙ୍କ ଦାବି ପ୍ରତି କୌଣସି କର୍ଣପାତ ନକଲେ ଏବଂ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲେ, ସେତେବେଳେ ଶ୍ରମିକମାନେ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନେଲେ ।
୧୮୮୬ ମସିହା ମେ’ ୧ ତାରିଖ ଦିନ ଚିକାଗୋ ସହରର ‘ହେମାର୍କେଟ୍ ସ୍କେ୍ୱାୟାର’ ଠାରେ ଶ୍ରମିକମାନେ ୧୫ ଘଣ୍ଟା ଶ୍ରମ ବିରୋଧରେ ଆନ୍ଦୋଳନ କରୁଥାନ୍ତି । ଏହି ସମୟରେ ସେଠାରେ ଏକ ବୋମା ବିଷ୍ଫୋରଣ ହେଲା । ଏହାଫଳରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଲା ଏବଂ ଉପସ୍ଥିତ ପୋଲିସ୍ ଓ ଶ୍ରମିକମାନଙ୍କ ମଧ୍ୟରେ ସଂଘର୍ଷ ଘଟିଲା । ପୋଲିସ ଗୁଳିରେ ବହୁ ଶ୍ରମିକଙ୍କ ମୃତ୍ୟ ଘଟିଲା । ଅନୂରୂପ ଭାବେ କିଛି ପୋଲିସ୍ କର୍ମଚାରୀ ମଧ୍ୟ ଜୀବନ ହରାଇଲେ ।
ଏହାର ୩ ବର୍ଷ ପରେ ପ୍ୟାରିସ୍ ଆନ୍ତାର୍ଜାତୀୟ ସୋସିଆଲିଷ୍ଟ ସମ୍ମିଳନୀରେ ମେ’ ୧ତାରିଖକୁ ଅ।।ନ୍ତାର୍ଜାତିକ ଶ୍ରମିକ ଦିବସ ଭାବେ ପାଳନ କରାଯିବା ଲାଗି ନିଷ୍ପତି ନିଆଗଲା । ଜାତିସଂଘର ଆନ୍ତଜାର୍ତିକ ଶ୍ରମିକ ସଂଗଠନ ମଧ୍ୟ ଏହି ଦିବସକୁ ବେଶ୍ ଆଡମ୍ବର ସହକାରେ ପାଳନ କରିଆସୁଅଛି ।
ଭାରତରେ ଶ୍ରମିକ ଦିବସର ଆରମ୍ଭ ଚେନ୍ନାଇ ସହରରେ ୧ ମଇ ୧୯୨୩ ମସିହାରେ ହୋଇଥିଲା । ଏହି ଦିନ ଭାରତରେ ଶ୍ରମିକମାନଙ୍କର ଲାଲ ପତାକା ଚେନ୍ନାଇ ସହରରେ ପ୍ରଥମେ ଉଡ଼ିଥିଲା । ବାମପନ୍ଥୀ ଶ୍ରମିକ ସଂଗଠନଗୁଡିକ ଏହି ଦିନଟିକୁ ପ୍ରଥମ ଥର ପାଇଁ ଭାରତରେ ଶ୍ରମିକକ ଦିବସ ଭାବେ ପାଳନ କରିଥିଲେ ।
ଏବେ ପ୍ରଶ୍ନ ଆସିପାରେ ଆମେ କାହିଁକି ଏହି ଦିବସଟିକୁ ପାଳନ କରିବା । ଇଂରାଜୀରେ ଗୋଟିଏ କଥା ଅଛି – ‘ୟୁନାଇଟେଡ୍ ଉଇ ଷ୍ଟାଣ୍ଡ ଓ ଡିଭାଇଡେଡ୍ ଉଇଫଲ ।’ ଅର୍ଥାତ୍ ଏକାଠି ରହିଲେ ଆମେ କିଛି ଅସାଧ୍ୟ କାର୍ଯ୍ୟ ସାଧନ କରିପାରିବା । ନଚେତ୍ ଆମର ପତନ ହେବ । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତି ବିଶେଷ ଯଦି ଗୋଟିଏ ସଂଗଠନ ମଧ୍ୟରେ ରହିବେ, ସେମାନେ ନିଜନିଜର ସ୍ୱାର୍ଥ ସୁରକ୍ଷା କରିବା ସହିତ ନିଜ ସପକ୍ଷରେ ସାମାଜିକ ଓ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିପାରିବେ । ଏତତ୍ ବ୍ୟତୀତ ସରକାର ଏକପାଖିଆ ଭାବେ କୌଣସି ପ୍ରକାର ଶ୍ରମିକ ବିରୋଧୀ ନିଷ୍ପତି ନେଇପାରିବେ ନାହିଁ ।
ଏବେ ମଇ ଦିବସ ଏକ ପବିତ୍ର ଉତ୍ସବ ଭାବେ ପାଳନ କରାଯାଉଛି । ପ୍ରକୃତରେ ଯେଉଁମାନେ ନିଜର ଝାଳ, ଲୁହ ଓ ଲହୁ ଦେଇ ଏ ସମାଜ ଗଠନ ପାଇଁ ବ୍ରତୀ, ସେମାନଙ୍କୁ ଏହି ଦିବସଟି ଉତ୍ସର୍ଗ କରିବା ଏକ ଯଥାର୍ଥ ସ୍ୱୀକୃତି ଓ ସମ୍ମାନ ।