Odisha News

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ଭି.କେ. ପାଣ୍ଡିଆନ୍, ବିଜେଡିର ପରାଜୟ ପାଇଁ ମାଗିଲେ କ୍ଷମା

ଭୁବନେଶ୍ବର,୯/୬: କିଛି ମାସ ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଭୈରବ କାର୍ତ୍ତିକ ପାଣ୍ଡିଆନ୍ ଆଜି ରାଜନୀତି ଛାଡ଼ିଛନ୍ତି। ସେ ରାଜନୀତିରୁ ସନ୍ୟାସ ନେଇଥିବା ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବିଜେଡି)ର ପରାଜୟ ପାଇଁ ସେ କ୍ଷମା ମାଗିଛନ୍ତି। ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ଦୁଃଖ ପ୍ରକାଶ କରୁଛି। ବିଜୁ ପରିବାର ଓ କର୍ମୀମାନଙ୍କୁ କ୍ଷମା ମାଗୁଛି। ନବୀନ ପଟ୍ଟନାୟକଙ୍କ ସହାୟତା ପାଇଁ ରାଜନୀତିକୁ ଆସିଥିଲି ବୋଲି କହିଛନ୍ତି।
ଶ୍ରୀ ପାଣ୍ଡିଆନ କହିଛନ୍ତି, ରାଜନୀତିରେ କୌଣସି ପଦବି ପାଇଁ ମୁଁ ଲାଳାୟିତ ନଥିଲି। ବିଜେଡିରେ କୌଣସି ପଦରେ ନଥିଲି କି ନିର୍ବାଚନ ଲଢିନଥିଲି। ଗତ ୧୨ ବର୍ଷରେ ଭୋରରୁ ବିଳମ୍ବିତ ରାତି ଯାଏଁ ଓଡ଼ିଶାର ବିକାଶ ଚିନ୍ତା କରିଛି। ନବୀନ ବାବୁଙ୍କ ସ୍ବପ୍ନ ସାକାର କରିବାକୁ ସବୁବେଳେ ଚେଷ୍ଟା କରିଛି। ମୁଁ ରାଜନୀତି ଭିତରେ ଯାହା ବି କାମ କରିଛି କେବଳ ଓଡ଼ିଶା ଆଉ ନବୀନ ପଟ୍ଟନାୟକଙ୍କ ପାଇଁ। ଚାକିରି କ୍ୟାରିୟର ଭିତରେ ମୋ ପୈତୃକ ସମ୍ପତ୍ତି ଛଡ଼ା ସାରା ବିଶ୍ୱରେ ମୋର କେଉଁଠି ବି ସମ୍ପତ୍ତି ନାହିଁ।
ରାଜ୍ୟର ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଭାବେ କାମ କରିଛି। ଜିଲ୍ଲାପାଳ ଭାବେ କାମ କଲାବେଳେ ଓଡ଼ିଶାର ଲୋକଙ୍କୁ ଭଲପାଇ ବସିଥିଲି। ସବୁଠି ଲୋକଙ୍କ ପାଇଁ କାମ କରିବାକୁ ଚେଷ୍ଟା କରିଛି। ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ଯୋଗଦେଇଥିଲି। ନବୀନଙ୍କ ଭିଜନ ଓଡ଼ିଶା କାର‌୍ୟ୍ୟକାରୀ କରିବାକୁ ଉଦ୍ୟମ କରିଥିଲି। ଶିକ୍ଷା, ସ୍ବାସ୍ଥ୍ୟ, ଦାରିଦ୍ୟ ଦୂରୀକରଣରେ କାମ କରିଥିଲି। କ୍ରୀଡ଼ା ବିକାଶ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ନବୀନଙ୍କ କାର‌୍ୟ୍ୟ ଏକ ମାଇଲଷ୍ଟୋନ। କରୋନା ସମୟରେ ୩୦ଟି ଜିଲ୍ଲା ବୁଲି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲି ବୋଲି ପାଣ୍ଡିଆନ୍ କହିଛନ୍ତି।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନ୍ ଷ୍ଟାର ପ୍ରଚାରକ ଥିଲେ। ଉଭୟ ନେତା ନିର୍ବାଚନୀ ସଭା ହେଉ ବା ରୋଡ୍ ସୋ’ରେ ମତଦାତାଙ୍କୁ ଆକର୍ଷିତ କରୁଥିଲେ। କାର୍ତ୍ତିକ ପାଣ୍ଡିଆନ ସମାବେଶକୁ ସମ୍ବୋଧନ ସମୟରେ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ। ସେ କହିଥିଲେ, ଯଦି ଆସନ୍ତା ଜୁନ୍ ୯ ରେ ୭୫% ସଂଖ୍ୟାଗରିଷ୍ଠତା ସହିତ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନାହିଁ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି।

Related Posts

Seo wordpress plugin by www.seowizard.org.