୯ ମାସ ପରେ କଂଗ୍ରେସକୁ ଫେରିଲେ ସୁର ରାଉତରାୟ, ଭାବବିହ୍ବଳ ହୋଇ କାନ୍ଦି ପକାଇଲେ

ଭୁବନେଶ୍ୱର, ୧୫/୨ : ୯ ମାସ ପରେ କଂଗ୍ରେସକୁ ଫେରିଲେ ସୁର ରାଉତରାୟ । ଦଳକୁ ଫେରି ଭାବବିହ୍ଵଳ ହୋଇପଡ଼ିଲେ । ନିଜ ପ୍ରତିକ୍ରିୟା ରଖିଲା ବେଳେ ସୁର କାନ୍ଦିପକାଇଥିଲେ ।
ଦଳକୁ ଫେରିବା ପରେ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୁର ରାଉତରାୟ କହିଛନ୍ତି, ଘରକୁ ଫେରିଛି ବହୁତ ଖୁସି ଅଛି । ମୋତେ ଅନ୍ୟାୟରେ କାଢି ଦିଆଯାଇଥିଲା । କଂଗ୍ରେସ ଭବନ ମୋ ମନ୍ଦିର, ଏଠି ନେହେରୁଙ୍କୁ ମୁଁ ପୂଜା କରୁଥିଲି ।
ସୂଚନା ଥାଉ କି ଏବେ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ଆଉ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି କଂଗ୍ରେସର ନେତା ଓ କର୍ମୀମାନେ ।
ସମସ୍ତଙ୍କ ମନରେ ଏକ ପ୍ରକାର ନୂଆ ଆଶା ଭରିଯାଇଛି କଂଗ୍ରେସକୁ ଆଗାମୀ ଦିନରେ ସଶକ୍ତ କରିବାକୁ । ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏବେ ପଲିଟିକାଲ କରିଡରରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସୁରେଶ ରାଉତରାୟ ।
ଗତକାଲି ପିସିସି ସଭାପତି ଭକ୍ତଚରଣ ଦାସ ଦଳରୁ ନିଲମ୍ବନ ଓ ବହିଷ୍କାର ହଟାଇ ସମସ୍ତ କଂଗ୍ରେସ କର୍ମୀଙ୍କୁ ପୁଣି ଥରେ ଘରକୁ ଫେରିଆସିବାକୁ ନିବେଦନ କରିଛନ୍ତି । ଯାହାପରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ କଂଗ୍ରେସ ଦଳକୁ ବାହୁଡା ହୋଇଛି । ଆଜି କଂଗ୍ରେସ ଭବନ ଆସି ସୁର ନଡ଼ିଆ ବାଡେଇ ମୁଣ୍ଡିଆ ମାରି ପ୍ରବେଶ କରିଛନ୍ତି ।