୯ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୩ ଜଣ ଚାକିରିରୁ ବିଦା, ୬ ଜଣଙ୍କ ପେନସନ ବନ୍ଦ

ଭୁବନେଶ୍ବର,୭/୭: ରାଜ୍ୟର ୯ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୩ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ, ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରିଛନ୍ତି ରାଜ୍ୟ ସରକାର।
ରାଜ୍ୟ ସରକାର ପୁଣି ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏଥିରେ ବିଭିନ୍ନ କ୍ଷେତ୍ରର ଅଧିକାରୀ, ଯଥା – ଏକ୍ଜିକ୍ୟୁଟିଭ ଇଂଜିନିୟର, ଓଏଏସ୍ ଅଧିକାରୀ, କୃଷି ବିଭାଗ ଅଧିକାରୀ, ସାମାଜିକ ଶିକ୍ଷା ଅଧିକାରୀ, ଅଡିଟର, ଜୁନିଅର ଇଂଜିନିୟର ପ୍ରମୁଖ ଅନ୍ତର୍ଭୁକ୍ତ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ସେମାନଙ୍କର ପେନ୍ସନ ବନ୍ଦ କରାଯାଇଛି ।
ଏହି ୯ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲା ଆର ଡବ୍ଲୁ ଏସଏସର ପୂର୍ବତନ କାର୍ୟ୍ୟନିର୍ବାହୀ ଅଧିକାରୀ ଶିବରାମ ବିଶ୍ବାଳ ଏକ ଦୁର୍ନୀତି ମାମଲାରେ ଦେଷୀସାବ୍ୟସ୍ତ ହୋଇଛନ୍ତି। ତାଙ୍କର ପେନ୍ସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି।
ସେହିପରି କଳାହାଣ୍ଡି ଜିଲ୍ଲା କାର୍ଲାମୁଣ୍ଡା ବ୍ଳକ୍ର ପୂର୍ବତନ ବିଡିଓ (ଅବସରପ୍ରାସ୍ତ ଓଏଏସ ଅଧିକାରୀ) ଗଣ୍ଡାରାମ ଖମାରୀ ଏକ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ତେଣେ ନବରଙ୍ଗପୁର ଜିଲ୍ଲା ଉମରକୋଟର ପୂର୍ବତନ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି, ଅପାରଗତା କାରଣରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଜି. ଉଦୟଗିରିର ପୂର୍ବତନ ସହକାରୀ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ଗୌଡ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ମାଲକାନଗିରି ଜିଲ୍ଲାର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାଶରଥୀ ତ୍ରିପାଠୀ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ବରଗଡ ଜିଲ୍ଲା ସୋହେଲା ଆର ଡବ୍ଲୁ ଏସଏସର ପୂର୍ବତନ ଜୁନିଅର ଇଂଜିନିୟର ଉପେନ୍ଦ୍ରଭଂଜ ନାୟକ ଜଣେ ସରକାରୀ ଅଧିକାରୀ ହେବା ସତ୍ତ୍ବେ କାର୍ଯ୍ୟରେ ସଚ୍ଚୋଟତା ରକ୍ଷା କରିବାରେ ଏବଂ କର୍ତ୍ତବ୍ୟ ପରାୟଣତାରେ ବିଫଳ ହୋଇଥିଲେ। ଏହାସହିତ ତାଙ୍କର ବ୍ୟବହାରରେ ଶିଷ୍ଟାଚାର ମଧ୍ୟ ନଥିଲା। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରିରୁ ବହିଷ୍କୃତ କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲା ଲୋକାଲ ଫଣ୍ଡ ଅଡିଟ ବିଭାଗର ପୂର୍ବତନ ଅଡିଟର ସୁଶିଲ କୁମାର ମେହେର ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ଓ ଅପାରଗତା କାରଣରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ମୟୁରଭଞ୍ଜ ଉଦଳାର ପୂର୍ବତନ ସାମାଜିକ ଶିକ୍ଷା ଅଧିକାରୀ ଆନନ୍ଦ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଯୋଗୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଠିକ୍ ସେହିପରି ନୟାଗଡ ଜିଲ୍ଲା ଚାନ୍ଦପୁରର ପୂର୍ବତନ ଡିଏମଏସଏନ୍ ସୁପରିନ୍ଟେଣ୍ଡେଟ ଡକ୍ୟର ସୁରେନ୍ଦ୍ର ନାଥ ପତି ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ପାଉଥିବା ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।