୪ ଲକ୍ଷ ୮ ହଜାର ୧୦୭ ଭୂତ ରାସନ କାର୍ଡକୁ ବାଦ ଦିଆଯାଇଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର,୧୯/୩ : ୪ ଲକ୍ଷ ୮ ହଜାର ୧୦୭ ଭୂତ ରାସନକାର୍ଡଧାରୀଙ୍କୁ ବାଦ୍ ଦିଆଯାଇଛି । ବୁଧବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରକା ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ପାଖାପାଖି ୨୩ ହଜାର ୧୩୮ ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ଫେରାଇ ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ରାସନକାର୍ଡ ଜାଲିଆତି ବିରୋଧରେ ଚାଲିଥିବା ଧରପଗଡ ଯୋଗୁଁ ୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡ ଜଣା ପଡିଛି । ବର୍ଷ ବର୍ଷ ଧରି ଭୂତ କାର୍ଡ ଫାଇଦା ଉଠାଇ ଚାଲିଥିଲେ । ଏସବୁ କାର୍ଡକୁ ବାଦ୍ ଦିଆଯାଇଛି । ରାସନକାର୍ଡ ଫେରାଇ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ୨୩ ହଜାର ୧୩୮ ରହିଛି । ଏସବୁ କାର୍ଡ ବାଦ୍ ପଡିବା ପରେ ଏବେ ଖାଦ୍ୟ ସୁରକ୍ଷା ଯୋଜନାରେ ୯୭ ଲକ୍ଷ ୫୫ ହଜାର ୪୪୨ କାର୍ଡରେ ୩ କୋଟି ୩୦ ଲକ୍ଷ ୨୮ ହଜାର ୮୮୯ ହିତାଧିକାରୀ ରହିଛନ୍ତି ।
ଏହା ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ ଯେ, ଆୟକର ଫାଇଲ କରିଥିଲେ ବି ରାସନ କାର୍ଡ କଟିବନି । ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ରାସନ କାର୍ଡ ଲିଷ୍ଟ ସହ ଡୋର୍ ଟୁ ଡୋର୍ ବୁଲି ଭେରିଫେକସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ ।
ସେ ଏହା ମଧ୍ୟ କହିଥିଲେ ଯେ, ଅଭିଯୋଗ ଆସୁଛି କି ଯେଉଁମାନେ ଆୟକର ଫାଇଲ୍ କରୁଛନ୍ତି ସେମାନଙ୍କ କାର୍ଡ କଟିଯାଉଛି । କିନ୍ତୁ କାହାର କାର୍ଡ କଟିବନି । ଅଧିକାରୀଙ୍କ ପାଖକୁ ଲିଷ୍ଟ ଯାଇଛି । ସେମାନେ ଡୋର ଟୁ ଡୋର ବୁଲି ଦେଖିବେ । କାହାର ଆୟ କେତେ ଅଛି । ତାହାର ତର୍ଜମା ହେବ, ତାପରେ ଯାଇ କାର୍ଡ କଟିବ କି ରହିବ ସେନେଇ ନିଷ୍ପତ୍ତି ନିଆଯିବ ।