Odisha News

୨୨ ବର୍ଷୀୟ ମହିଳା ଡାକ୍ତରଙ୍କୁ ହତ୍ୟା କଲେ ଶିକ୍ଷକ, ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିଲା ପୋଲିସ୍; ସାରା ରାଜ୍ୟରେ ପ୍ରତିବାଦ

ଥିରୁବନନ୍ତପୁରମ୍,୧୦/୫: ଘର ଲୋକଙ୍କ ସହ ଝଗଡ଼ା କରୁଥିବା ବେଳେ ଗିରଫ କରିଥିଲା ପୁଲିସ। ଝଗଡ଼ା ସମୟରେ ଅଭିଯୁକ୍ତ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ତାକୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଚିକିତ୍ସା ସମୟରେ ସେ କିଛି ଏଭଳି କରିବସିଥିଲା, ଯାହାକୁ ନେଇ ଏବେ କେରଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ଅପରାଧୀ ଚିକିତ୍ସା ସମୟରେ ୨୨ବର୍ଷୀୟ ଡାକ୍ତରଙ୍କ ହତ୍ୟା କରିବା ଘଟଣାକୁ ନେଇ ଏବେ କେରଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ମୃତକଙ୍କ ନାଁ ବନ୍ଦନା ଦାସ ବୋଲି ଜଣାପଡ଼ିଥିବା ବେଳେ ଆକ୍ରମଣ ପରେ ତାଙ୍କର ମୃତ୍ୟୁ ଘଟିଛି।
କୋଲାମର କୋଟ୍ଟାରାକ୍କରା ଅଞ୍ଚଳରେ ଥିବା ଏକ ଡାକ୍ତରଖାନାରେ ଏଭଳି ହୃଦୟ ଥରା ଘଟଣା ଘଟିଛି। ଅଭିଯୁକ୍ତର ନାଁ ସନ୍ଦିପ ବୋଲି ଜଣାପଡ଼ିଥିବା ବେଳେ ସେ ଜଣେ ଶିକ୍ଷକ । କୋଟ୍ଟାରାକ୍କରା ପୁଲିସ କହିଛି ଯେ, ଘର ଲୋକଙ୍କ ସହ ଝଗଡ଼ା କରିବା ପରେ ସନ୍ଦିପର ଗୋଡ଼ରେ ଆଘାତ ଲାଗିଥିଲା। ଏଥିପାଇଁ ତାକୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ବନ୍ଦନା, ସନ୍ଦିପଙ୍କ ଚିକିତ୍ସା କରୁଥିବା ବେଳେ ଉତ୍ତେଜିତ ହୋଇ ସନ୍ଦିପ ଛୁରୀ ଓ କଇଁଚିରେ ତାଙ୍କୁ ଆକ୍ରମଣ କରିଥିଲା। ଏହା ପରେ ଗୁରୁତର ବନ୍ଦନାଙ୍କୁ ଥିରୁବନନ୍ତପୁରମରେ ଥିବା ଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆକ୍ରମଣ ସମୟରେ ଅଭିଯୁକ୍ତ ନିଶାଗ୍ରସ୍ତ ଥିବା କହିଛି ପୁଲିସ।
ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ଜଣେ ଅଧିକାରୀ ଏକ ଟିଭି ଚ୍ୟାନେଲକୁ କହିଛନ୍ତି ଯେ ଏହା ଏକ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ଘଟଣା ଓ କେରଳର ଡାକ୍ତରମାନେ ଏହାକୁ ବିରୋଧ କରିବେ। ଡାକ୍ତର ବନ୍ଦନା ଦାସ ଅଜିଜିଆ ମେଡିକାଲ କଲେଜ ହସପିଟାଲରେ ଜଣେ ହାଉସ ସର୍ଜନ ଥିଲେ ଏବଂ ତାଲିମର ଏକ ଅଂଶ ଭାବରେ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ।

Related Posts

Seo wordpress plugin by www.seowizard.org.