Odisha News

୧୭୫ କୋଟିର ସୁନା ବିକ୍ରି: କିଣିଲେ ନେକ୍‌ଲେସ୍, ଚୁଡ଼ି, ଚେନ୍, କାନଫୁଲ

ଭୁବନେଶ୍ୱର,୧୧/୫: ପ୍ରତି ବର୍ଷ ଭଳି ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ମଧ୍ୟ ବେଶ୍ ଉତ୍ସାହଜନକ ରହିଥିଲାବେଳେ ସର୍ବଭାରତୀୟ ସ୍ତରରେ ସୁନା କାରବାର ୧୫ରୁ ୨୦% ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ ପକ୍ଷରୁ ଆକଳନ କରାଯାଇଛି।
ଏପରିକି ଓଡ଼ିଶା ବଜାରରେ ମଧ୍ୟ ୧୦୦ କୋଟିରୁ ଅଧିକ ଟଙ୍କାରେ ସୁନା କାରବାର ହୋଇଥିବା ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଉଭୟ ରାଜ୍ୟ ଓ ଜାତୀୟସ୍ତର(ଘରୋଇ ବଜାର)ର ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ଲକି ଡ୍ର ଏବଂ ଉପହାରର ବ୍ୟବସ୍ଥା କରାଯାଇଥିଲାବେଳେ ଅକ୍ଷୟ ତୃତୀୟା ପାଇଁ ସବୁବର୍ଗର ଗ୍ରାହକ ଅଳ୍ପ ବହୁତ (ସକ୍ଷମ ଅନୁଯାୟୀ) ସୁନା, ରୁପା, ହୀରା ଓ ମୂଲ୍ୟବାନ୍ ଅଳଙ୍କାର ଏବଂ ରତ୍ନପଥର କ୍ରୟ କରିଛନ୍ତି।
ଅପରପକ୍ଷରେ ଶୁକ୍ରବାର ସୁନା ଦର ୫୦୦ରୁ ୮୫୦ ଟଙ୍କା ବଢ଼ିଥିବା ସତ୍ତ୍ୱେ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଅଳଙ୍କାର ପ୍ରତିଷ୍ଠାନଗୁଡିକରେ ଜମି ରହିଥିବା ଭିଡରୁ ସୁନା କ୍ରୟ ବୃଦ୍ଧି ହୋଇଥିବା ସ୍ପଷ୍ଟ ଜଣାପଡୁଥିଲା।
ସେହିଭଳି ଅକ୍ଷୟ ତୃତୀୟା କାରବାର ଆଶାନୁଯାୟୀ ହୋଇଥିବାବେଳେ ଭୁବନେଶ୍ୱରର ସୁନା ଦର ୨୪କ୍ୟାରେଟ ପ୍ରତି ଗ୍ରାମ ପିଛା ୭୩,୦୯୦ ଟଙ୍କା ଏବଂ ୨୨କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୬୭,୦୦୦ ଟଙ୍କାରେ ବିକ୍ରି ହେଉଥିଲା।
ସେହିପରି ରୁପା ଦର କି.ଗ୍ରା. ପ୍ରତି ୮୬,୦୦୦ଟଙ୍କା ରହିଥିଲାବେଳେ ହୀରା ଓ ରତ୍ନପଥରର ମୂଲ୍ୟ ମଧ୍ୟ ଉଚ୍ଚା ଥିଲା। ବିଶେଷକରି ଅକ୍ଷୟ ତୃତୀୟା ଓ ବିବାହ ପାଇଁ ଗ୍ରାହକ ଉଭୟ ୨୨ ଓ ୧୮ କ୍ୟାରେଟ (୧୮କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପିଛା ୫୫,୧୭୦ଟଙ୍କା)ର ସୁନାକୁ ଅଧିକ ପରିମାଣରେ କ୍ରୟ କରୁଥିବା ଅଳଙ୍କାର ପ୍ରତିଷ୍ଠାନ ଗୁଡିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଯଥା ଖିମ୍ଜୀ ଜୁଏଲର୍ସ, ଲାଲ୍ଚାନ୍ଦ ଜୁଏଲର୍ସ, ଅରୁନ୍ଧତୀ ଜୁଏଲର୍ସ, ମାଲାବାର ଜୁଏଲର୍ସ, ଜୟଆଲୁକ୍କାସ ଜୁଏଲର୍ସ, କଲ୍ୟାଣ ଜୁଏଲର୍ସ, ତନିସ୍କ ଜୁଏଲର୍ସ, ରାଧାଗୋବିନ୍ଦ ରାୟ ଗ୍ରାଣ୍ଡସନ ଜୁଏଲର୍ସ, ଜାଭେରୀ ଜୁଏଲର୍ସ, ପି.ସି. ଚନ୍ଦ୍ରା ଜୁଏଲର୍ସ, କନକ ଜୁଏଲର୍ସ, ଲୋକନାଥ ଜୁଏଲର୍ସ, ଡି ପି ଜେ ପି ଜୁଏଲର୍ସ, ମା’ ଗୌରୀ ଜୁଏଲର୍ସ, ବିଷମ ଜୁଏଲର୍ସ,ନାରାୟଣୀ ଜୁଏଲର୍ସ, ଧରିତ୍ରୀ ଜୁଏଲର୍ସ ଏବଂ ରିଲାଏନ୍ସ ଜୁଏଲର୍ସ ଭଳି ଶୋ’ରୁମ୍ରେ ଅକ୍ଷୟ ତୃତୀୟା ଭିଡ଼ ଲାଗିରହିଥିଲା ବେଳେ ଉପରୋକ୍ତ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକର ଆକର୍ଷଣୀୟ ଅଫର ଓ ରିହାତି ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।

Related Posts

Seo wordpress plugin by www.seowizard.org.