Odisha News

୧୩ ମାସର ପୁଅକୁ ଅନାଥ କରିଦେଲା ବିଷାକ୍ତ ସାପ

ପାଇକମାଳ, ୧୪/୭: ରାତ୍ରି ଭୋଜନ ପରେ ଘରେ ଶୋଇଥିବା ଦମ୍ପତିଙ୍କ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ବରଗଡ଼ ଜିଲ୍ଲା ପଦ୍ବପୁର ଥାନା ଅନ୍ତର୍ଗତ ଘିଟିକି ଗାଁରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକମାନେ ହେଲେ ଶଙ୍କର ପ୍ରଧାନ (୨୫) ଓ ତାଙ୍କ ସ୍ତ୍ରୀ ଶାନ୍ତି ପ୍ରଧାନ (୨୩)।
ସୂଚନା ଅନୁସାରେ ପାଇକମାଳ ଥାନା ଅନ୍ତର୍ଗତ ଘିଟିକି ଗାଁରେ ଗତକାଲି ରାତିରେ ପରିବାର ଲୋକଙ୍କ ସହିତ ଶଙ୍କର ପ୍ରଧାନ ଓ ତାଙ୍କର ସ୍ତ୍ରୀ ଶାନ୍ତି ଭୋଜନ କରି ଶୋଇବାକୁ ଯାଇଥିଲେ। ମଧ୍ୟରାତ୍ରିରେ ଉଭୟଙ୍କୁ ସାପ କାମୁଡ଼ି ଦେଇଥିଲା।
ପରିବାର ଓ ପଡୋଶୀ ଲୋକେ ଉଦ୍ଧାର କରି ସେମାନଙ୍କୁ ପ୍ରଥମେ ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶଙ୍କର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଶାନ୍ତିଙ୍କର ଅବସ୍ଥା ଅତ୍ୟଧିକ ଜଟିଳ ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।
ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ନେଇ ଘିଟିକି ଗାଁରେ ଶୋକର ଛାୟା ଖେଳିଯାଇଛି।
ସୂଚନାଯୋଗ୍ୟ, ଶଙ୍କର ଓ ଶାନ୍ତିଙ୍କର ବିବାହ ଗତ ୩ ବର୍ଷ ତଳେ ହୋଇଥିଲା। ସେମାନଙ୍କର ଏକ ଦେଢ଼ ବର୍ଷର ପୁଅ ଅଛି। ବାପ-ମା’ ଛେଉଣ୍ଡ ଶିଶୁପୁତ୍ର କେମିତି ବଡ଼ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଶିଶୁପୁତ୍ରକୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Related Posts

Seo wordpress plugin by www.seowizard.org.