Odisha News

୧୨ ଘଣ୍ଟିଆ କୋରାପୁଟ ବନ୍ଦ, ବିଭିନ୍ନ ରାଜନୈତିକ ଦଳ ସହ ବ୍ୟବସାୟିକ ସଂଗଠନର ସମର୍ଥନ

ଜୟପୁର,୯/୫: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଜିଲ୍ଲାଭିତ୍ତିକ ନିଯୁକ୍ତି ଆଦି ୫ଦଫା ଦାବିକୁ ନେଇ ଆଜି ୯ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲ୍ଲାର ସୁଙ୍କି, ଚାନ୍ଦିଲି, କୋଟପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ଲମତାପୁଟ, ପଟ୍ଟାଙ୍ଗି ସହ ସବୁ ବ୍ଲକ ସଦର ମହକୁମା, ପୌରପାଳିକା ଓ ଏଏନସିରେ ସମ୍ପୂର୍ଣ୍ଣ ରୁପେ ବନ୍ଦ କରାଯାଇଥିବାର ଖବର ମିଳିଛି।
ଏହି ବନ୍ଦର ପ୍ରଭାବ ଜନଜୀବନକୁ ପ୍ରଭାବିତ କରିଛି। ଆଜି ଦୋକାନବଜାର, ବସ୍ ଓ ଟ୍ରକ୍ ଚଳାଚଳ ବନ୍ଦ ରହିଛି। ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବା ପରିଲକ୍ଷିତ ହୋଇଛି।
ସୂଚନାଯୋଗ୍ୟ, ଗତ ଶନିବାର ସ୍ଥାନୀୟ ବାଙ୍କମଠ ପରିସରରେ ୧୨ଘଣ୍ଟିଆ ବନ୍ଦ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାନେତ୍ରୀ ମୀନାକ୍ଷୀ ରାଣୀ ବାହିନୀପତିଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ଜୟପୁର ବିଧାୟକତାରା ପ୍ରସାଦ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ବୁଲୁ ସାହୁ, ରାମଚନ୍ଦ୍ର ପାଢ଼ୀ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, କୋଟପାଡ ଏନଏସି ଅଧ୍ୟକ୍ଷ ଶଙ୍କର ରାଓ, ମନୋହର ବିଷୋଇ, ମଣି ପଟ୍ଟନାୟକ, ହାସନ ମାଦାନି, ଦେବେନ୍ଦ୍ର ବାହିନୀପତି, କାନ୍ତ ପାଢ଼ୀ, ଦୁର୍ଗା ପ୍ରସାଦ ଶର୍ମା, ଜିଲ୍ଲାପରିଷଦ ସଭ୍ୟ ପିଙ୍କୁ ଶତପଥୀ ପ୍ରମୁଖମଞ୍ଚାସୀନ ଥିଲେ।
ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳର ସଭାପତି ଓ ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଆଦି ଏହି ପ୍ରସ୍ତୁତି ବୈଠକରେ ଭାଗ ନେଇଥିଲେ। ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନଙ୍କୁ ଜିଲ୍ଲାର ବିଭିନ୍ନ ପଦବୀରେ ନିଯୁକ୍ତି ଦେବା ପାଇଁ ବାରମ୍ବାର ବିଧାନସଭାରେ ଦାବି କରିବା ସତ୍ବେ ସରକାର ଏ ଦିଗରେ ସାମାନ୍ୟତମ କର୍ଣ୍ଣପାତ କରୁ ନାହାନ୍ତି। ଫଳସ୍ବରୁପ ବାହାର ଜିଲ୍ଲାର ପିଲା ଜାଲ୍ ଶିକ୍ଷାଗତ ପ୍ରମାଣପତ୍ରରେ ଏଠାରେ ନିଯୁକ୍ତି ପାଇବା ସହ ଜିଲ୍ଲାରେ ବହୁ ଅନୈତିକ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ଉଠାଇଥିଲେ।
କୋରାପୁଟ ଠାରେ ଥିବା ବିଏଡ୍ କଲେଜକୁ ଜାଣି ଶୁଣି ସରକାର ବନ୍ଦ କରାଇଛନ୍ତି। ଏଠାରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୁରଣ ନ କରିବା ଫଳରେ ଏହା ବନ୍ଦ ହୋଇଯାଇଛି। ତେଣୁ ତୁରନ୍ତ ଏହାକୁ ଖୋଲିବାକୁ ସେ ଦାବି କରିଥିଲେ। ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ସେ ବ୍ୟକ୍ତିଗତ ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଅନୁରୋଧ ପତ୍ର ଦେଇଥିଲେ।

Related Posts

Seo wordpress plugin by www.seowizard.org.