Odisha News

ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଧୂଆଁ, ହୋଇପାରେ ବଡ଼ଧରଣର ବିସ୍ଫୋରଣ: ୟୁକ୍ରେନ୍

କିଭ୍, ୪/୩: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୯ମ ଦିନରେ ପହଞ୍ଚିଛି। ରୁଷ ଯେଉଁ ଲକ୍ଷ୍ୟ ନେଇ ୟୁକ୍ରେନ ଉପରେ ହମଲା କରିଥିଲା, ଏଯାଏ ସେ ଲକ୍ଷ୍ୟ ପୂରଣ କରିପାରିନାହିଁ। ତେଣୁ ମସ୍କୋ ପକ୍ଷରୁ ୯ମ ଦିନରେ ଆକ୍ରମଣକୁ ଆହୁରି ଜୋରଦାର କରାଯାଇଛି।-
ଯେକୌଣସି ପରିସ୍ଥିତିରେ ରାଜଧାନୀ କିଭ୍କୁ ଦଖଲ କରାଯିବ ବୋଲି ରୁଷ ପଣ କରିଛି। ତେଣୁ ଘନଘନ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି। ସେହିପରି ରୁଷ ଆଜି ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିୟର ବା ପରମାଣୁ ପ୍ଲାଣ୍ଟ ଉପରେ ହମଲା କରିଛି। ଏହି ପରମାଣୁ ପ୍ଲାଣ୍ଟଟି ୟୁକ୍ରେନର ଜାପୋରିଝଝିଆରେ ରହିଛି।
ରୁଷ ଏଠାରେ ବୋମା ମାଡ଼ କରିବାରୁ ପ୍ଲାଣ୍ଟରେ ନିଆଁ ଲାଗି ଯାଇଛି। ନିଆଁ ଲିଭାଇକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିଲେ ହେଁ ଏଥିରେ ସଫଳ ହୋଇନାହାନ୍ତି।
କାରଣ ପ୍ଲାଣ୍ଟ ଉପରେ ବୋମା ମାଡ଼ କରିବା ପରେ ସ୍ଥାନୀୟ ଅଞ୍ଚଳରେ ରୁଷ ସୈନ୍ୟମାନେ ଆଖିବୁଜା ଗୁଳି ଚଳାଉଛନ୍ତି। ଫଳରେ ନିଆଁ ଲିଭାଇବାରେ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ନିଆଁ ଲିଭାଇରେ ସହଯୋଗ କରିବାକୁ ରୁଷକୁ ଅନୁମତି ମାଗିଛନ୍ତି।
ଗୁରୁବାର ରାତିରୁ ଜାପୋରିଝଝିଆରେ ରୁଷ ବୋମା ମାଡ଼ କରିଚାଲିଛି। ଆକ୍ରମଣ ଚାଲିଥିବା ବେଳେ ହଠାତ୍ ପ୍ଲାଣ୍ଟର ଗୋଟିଏ ଜେନେରେଟିଂ ୟୁନିଟରେ ବୋମା ମାଡ଼ ହୋଇଥିଲା।
ଫଳରେ ପ୍ଲାଣ୍ଟର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା। ଏବେ ପ୍ଲାଣ୍ଟ ନିକଟରେ ରୁଷ ସୈନ୍ୟମାନେ ରହି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା କର୍ମଚାରୀଙ୍କୁ ଗୁଳି କରୁଛନ୍ତି।
ଯଦି ସଂପୂର୍ଣ୍ଣ ନ୍ୟୁକ୍ଲିୟର ପ୍ଳାଣ୍ଟରେ ନିଆଁ ଲାଗିଯିବ, ତା’ହେଲେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମତ୍ରୋ କୁଲେବା କହିଛନ୍ତି।
ସେ କହିଛନ୍ତି, “ନିଆଁ ପ୍ଲାଣ୍ଟର ଗୋଟିଏ ୟୁନିଟରୁ ଆଉ ଗୋଟିଏ ୟୁନିଟକୁ ବ୍ୟାପୁଛି। ତେଣୁ ରୁଷ ତୁରନ୍ତ ଯୁଦ୍ଧ ବିରତି ଲାଗୁ କରୁ। ଅଗ୍ନିଶମ କର୍ମଚାରୀଙ୍କୁ ସେଠାକୁ ଯିବା ଅନୁମତି ଦେଉ ଓ ଉକ୍ତ ଅଞ୍ଚଳରେ ସିକ୍ୟୁରିଟ ଜୋନ ତିଆରି କରାଯାଉ।”
ଜାପୋରିଝଝିଆକୁ ଲାଗି ରହିଥିବା ଆଉ ଏକ ସହରର ମେୟର ମଧ୍ୟ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ ଲାଗିଥିବା କଥାକୁ ସ୍ୱୀକାର କରିଛନ୍ତି।
ଏଥିସହ ରୁଷର ଗୁଳି ଓ ବୋମା ମାଡ଼ରେ ଅନେକ ସୁରକ୍ଷାକର୍ମୀ ଓ ସାଧାରଣ ଲୋକ ମୃତାହତ ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି। ହେଲେ ସେ ପ୍ରକୃତ ମୃତାହତଙ୍କ ସଂଖ୍ୟା ସମ୍ପର୍କରେ କିଛି ବି କହି ନାହାନ୍ତି।

Related Posts

Seo wordpress plugin by www.seowizard.org.