Odisha News

ୟୁକ୍ରେନରେ ଫସିଛନ୍ତି ୧୬ହଜାର ଭାରତୀୟ, ଉଦ୍ଧାର ପାଇଁ ଭାରତର ପ୍ରସ୍ତୁତି

ନୂଆଦିଲ୍ଲୀ ୨୫/୨: ଯୁକ୍ରେନ୍ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ତିବ୍ର ହେବାରେ ଲାଗିଛି । ଧିରେଧିରେ ପରିସ୍ଥିତି ସଙ୍କଟ ଆଡକୁ ମୁହାଁଉ ଥିବା ଅନୁମାନ କରାଯାଉଛି । ଅନ୍ୟପଟେ ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ପରେ ହଜାର ହଜାର ସଂଖ୍ୟାରେ ଭାରତୀୟ ସେଠାରେ ଫସିଛନ୍ତି । ଏହାରି ମଧ୍ୟରେ ନିଜ ଲୋକମାନଙ୍କୁ ଭାରତକୁ ଫେରାଇ ଆଣିବାକୁ କୂଟନୈତିକ ସ୍ତରରେ ବଡ ଧରଣର ଯୋଜନା କରୁଛନ୍ତି କେନ୍ଦ୍ର ସରକାର।
ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟ୍ଟିନଙ୍କ ସହ ମଧ୍ୟ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନ୍ ରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଉପରେ ପ୍ରାଥମିକତା ଦେଇଛନ୍ତି ସରକାର ।
ଏହା ପୂର୍ବରୁ ୟୁକ୍ରେନରେ ଫସିଥିବା ପ୍ରାୟ ୧୬ ହଜାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସୁରକ୍ଷା ପରିଷଦ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବୈଠକରେ ଭାରତୀୟଙ୍କୁୁ ୟୁକ୍ରେନରୁ ସୁରକ୍ଷିତ ଉଦ୍ଧାର କରିବା ସହିତ ସେମାନଙ୍କୁ ଭାରତକୁ ଫେରାଇ ଆଣିବା ଉପରେ ଗୁରୁତ୍ବ ଦିଆଯାଇଥିଲା ।
ଋଷ ଆକ୍ରମଣ ପରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିବାରୁ ହେଙ୍ଗରୀ, ପୋଲାଣ୍ଡ, ସ୍ଲୋଭାକିୟା ଏବଂ ରୋମାନିୟା ଦେଇ ସଡକ ପଥରେ ଭାରତୀୟଙ୍କୁ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।
ୟୁକ୍ରେନରେ ମୋଟ ୨୦ ହଜାର ଭାରତୀୟ ଫସିଥିଲେ । ସେମାନଙ୍କ ମଧ୍ୟରୁ ୪ ହଜାର ସୁରକ୍ଷିତ ଭାବେ ଭାରତ ଫେରିଆସିଛନ୍ତି । ହେଙ୍ଗରୀ, ପୋଲାଣ୍ଡ, ସ୍ଲୋଭାକିୟା ଏବଂ ରୋମାନିୟା ଦେଇ ସଡକ ପଥରେ ଭାରତୀୟଙ୍କୁ ଆଣିବାକୁ ସେଠିକାର ରାଜଦୂତଙ୍କ ସହ କଥାବାର୍ତ୍ତା ଚାଲିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ସେହି ଦେଶଗୁଡିକ ସହ ଆଲୋଚନା ଜାରି ରଖିଛନ୍ତି । ଯେତେ ଶୀଘ୍ର ସମ୍ଭବ ଭାରତୀୟଙ୍କୁ ଯୁଦ୍ଧ ମୁହଁରୁ ଫେରାଇ ଅଣାଯିବ ।
ଋଷ ସେନା ୟୁକ୍ରେନକୁ ୩ ପଟୁ ଘେରି ରହିଛନ୍ତି । ଗୋଟିଏ ପେର ଗୋଟିଏ ଅଞ୍ଚଳ ୟୁକ୍ରେନ ହାତରୁ ଖସିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଘନଘନ ମିସାଇଲ ମାଡ କରୁଛି ଋଷ ସେନା ।
ସେପଟେ ଏକାକି ଲଢୁଛନ୍ତି ଜେଲେଂସ୍କି । ଆମେରିକା ମଧ୍ୟ ସୈନ୍ୟ ପଠାଇବାକୁ ମନାକରିଦେଇଛି । ସବୁଠାରୁ ବଡ କଥା ହେଉଛି ନାଟୋ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର‌୍ୟ୍ୟାନୁଷ୍ଠାନ ନେବା ନେଇ ଘୋଷଣା କରିନାହିଁ ।

Related Posts

Seo wordpress plugin by www.seowizard.org.