Odisha News

ହୀରାକୁଦ ବନ୍ଧକୁ ୬୭ ପୂରିଲା, ତଥାପି ସରିନି ବିସ୍ଥାପିତଙ୍କ ସଂଗ୍ରାମ

ସମ୍ବଲପୁର,୧୪/୧ :୧୯୫୭ ମସିହା ଠିକ୍ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ସ୍ବାଧୀନ ଭାରତର ସର୍ବବୃହତ୍ ପ୍ରକଳ୍ପ ଭାବରେ ହୀରାକୁଦ ବନ୍ଧ ଉଦ୍ଘାଟିତ ହୋଇଥିଲା। ଜଳ ସେଚନ, ବିଦ୍ୟୁତ୍ ଉତ୍ପାଦନ ସହ ବନ୍ୟା ନିୟନ୍ତ୍ରଣ ଲକ୍ଷ୍ୟ ରଖି ସମ୍ବଲପୁର ସହରର ଉପର ମୁଣ୍ଡରେ ହୀରାକୁଦ ବନ୍ଧ ନିର୍ମାଣ କରାଯାଇଥିଲା।
୧୨ ଏପ୍ରିଲ ୧୯୪୮ରେ କାମ ଆରମ୍ଭ ହୋଇ ୯ବର୍ଷ ପରେ ୮୩ ହଜାର ୪ଶହ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ହୀରାକୁଦ ବନ୍ଧ ଆଜିର ଦିନରେ ଲୋକାର୍ପିତ ହୋଇଥିଲା। ସେତେବେଳେ ପ୍ରାୟ ଶହେ କୋଟି ଟଙ୍କା ବନ୍ଧ ନିର୍ମାଣରେ ଖର୍ଚ୍ଚ ହୋଇଥିଲା।
୨୫.୮ କିଲୋମିଟର ବିଶିଷ୍ଟ ମାଟିବନ୍ଧ ଏସିଆର ସର୍ବବୃହତ୍ ହେବାର ଗୌରବ ହାସଲ କରିଛି।
ତେବେ ଏହି ବନ୍ଧ ନିର୍ମାଣ ସମୟରେ ୨୨ ହଜାର ପରିବାରକୁ ନିଜର ଭିଟାମାଟି ଛାଡି ବିସ୍ଥାପିତ ହେବାକୁ ପଡିଥିଲା। ହଜାର ହଜାର ଲୋକଙ୍କ ଜମିବାଡି ହୀରାକୁଦ ପାଣି ଭିତରେ ସବୁଦିନ ପାଇଁ ବୁଡିଯାଇଥିଲା।
୨୮୫ଖଣ୍ଡ ଗାଁ ହୀରାକୁଦ ପାଣିରେ ନିଜର ଅସ୍ତିତ୍ୱ ହରାଇଥିଲେ। କହିବାକୁ ଗଲେ ଏକ ସମୃଦ୍ଧ ଇତିହାସ ହୀରାକୁଦ ବନ୍ଧ ପାଣିରେ ସବୁଦିନ ପାଇଁ ହଜିଯାଇଥିଲା। ବିସ୍ଥାପନ ସମୟରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ଅନେକ ଲୋକ ଓଡିଶା ଛାଡି ଛତିଶଗଡର ସ୍ଥାୟୀ ବାସିନ୍ଦା ହୋଇଛନ୍ତି। ଯେଉଁମାନଙ୍କ ବଳିଦାନରେ ହୀରାକୁଦ ବନ୍ଧ ତିଆରି ହେଲା ସେମାନଙ୍କ ମଧ୍ୟରୁ ଅନେକଙ୍କ ଚାଷ ଜମିକୁ ଏପର୍ଯ୍ୟନ୍ତ ଜଳସେଚନର ସୁବିଧା ହୋଇ ନାହିଁ।
ଅନେକ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇ ରହିଯାଇଛନ୍ତି। ପ୍ରତିଷ୍ଠା ଦିବସକୁ ନିରାଡମ୍ବର ଢଙ୍ଗରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ପାଳନ କରି ବଳିଦାନ ଦେଇଥିବା ଲୋକଙ୍କୁ ହୀରାକୁଦ ବନ୍ଧ ଶହୀଦ ସ୍ତମ୍ଭ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ହୀରାକୁଦ ବନ୍ଧ ଅଧୀକ୍ଷଣ ଯନ୍ତ୍ରୀ ଇଂ ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ଏହି କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ଏବେ ଏହା ପର‌୍ୟ୍ୟଟନ କ୍ଷେତ୍ରରେ ଯୋଡି ହୋଇପାରିଛି। ତେବେ ବଳିଦାନ ଦେଇଥିବା ସେହି ଲୋକମାନଙ୍କ ସ୍ମୃତିରେ ହୀରାକୁଦ ବନ୍ଧ ନିକଟରେ ଏକ ସଂଗ୍ରହାଳୟ ନିର୍ମାଣ କରି ସେମାନଙ୍କ ତ୍ୟାଗକୁ ନୂତନ ପିଢି ପାଖରେ ପହଞ୍ଚାଇବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Related Posts

Seo wordpress plugin by www.seowizard.org.