Odisha News

ହଷ୍ଟେଲରେ ପୁଣି ଜଣେ ଛାତ୍ରଙ୍କର ମୃତ୍ୟୁ, କାରଣ ଅସ୍ପଷ୍ଟ

ବ୍ରହ୍ମପୁର,୨୧/୯: ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଆରକେ ହଷ୍ଟେଲ ଭିତରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଛାତ୍ର ଜଣଙ୍କ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଡିପଙ୍କା ଗ୍ରାମର କୁନାଲ ମଲ୍ଲିକ(୨୦)। ସେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗ ଯୁକ୍ତ ୩ ଶେଷବର୍ଷର ଛାତ୍ର ଥିଲେ। ପରିବାର ଲୋକେ କୁନାଲଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିବା ବେଳେ ତଦନ୍ତ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ କୁନାଲ ନିଜର ଶେଷ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ପରୀକ୍ଷା ସରିବା ପରେ ସବୁଦିନ ଭଳି ହଷ୍ଟେଲକୁ ଫେରିଥିଲେ। ରାତିରେ ହଷ୍ଟେଲ ଭିତରେ ଥିବା ନିଜ କୋଠରୀରେ ଶୋଇଥିଲେ। ତାଙ୍କ ସହ ସେହି କୋଠରୀରେ ବଟନି ବିଭାଗର ଅନ୍ୟ ଜଣେ ଛାତ୍ର ମଧ୍ୟ ଥିଲେ। କୁନାଲ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଶୋଇନଥିଲେ ବୋଲି ତାଙ୍କ ରୁମମେଟ ଜଣଙ୍କ କହିଛନ୍ତି। ହେଲେ ସକାଳୁ ଅନେକ ସମୟ ଯାଏଁ ଶୋଇ ରହିଥିଲେ। ୧୧ଟା ବେଳେ ହଷ୍ଟେଲର ଖାଇବା ବେଲ ବାଜିବା ପରେ ମଧ୍ୟ ସେ ଉଠିନବାରୁ ସାଙ୍ଗମାନେ ବାରମ୍ବାର ଡାକିଥିଲେ। ଏହା ପରେ କୁନାଲ ନଉଠିବାରୁ କୁନାଲଙ୍କ ସାଙ୍ଗମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏହାପରେ ହଷ୍ଟେଲର ତତ୍ତ୍ବାବଧାରକ ଡ. ଦୀପକ ମିଶ୍ର, ଅଧୀକ୍ଷକ ଓ ଉପ ଅଧୀକ୍ଷକ ପହଞ୍ଚି କୁନାଲଙ୍କୁ ତୁରନ୍ତ ଉଦ୍ଧାର କରି ଏମକେସିଜି ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବରପାଇ ବିଶ୍ବବିଦ୍ୟାଳୟ କୁଳସଚିବ ଆଷୁତୋଷ ସାମଲ ଏମକେସିଜିରେ ପହଞ୍ଚିଥିଲେ। କୁନାଲଙ୍କ ବାପା ଓ ବଡଭାଇ ମଧ୍ୟ ଏମକେସିଜିରେ ପହଞ୍ଚିବା ପରେ ତାଙ୍କ ଶବ ବ୍ୟବଛେଦ କରାଯାଇଥିଲା। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନଥିଲେ ମଧ୍ୟ ତାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। କୁନାଲଙ୍କ ପିଠି ଭାଗଟି ଲାଲ ରଙ୍ଗ ପଡିଥିବାରୁ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜୁଛି ବୋଲି ତାଙ୍କ ବଡଭାଇ ପାଣ ମଲ୍ଲିକ କହିଛନ୍ତି।
ସେହିପରି କୁନାଲଙ୍କ କୋଠରୀ ନିକଟରେ ରହୁଥିବା ଅନ୍ୟ ଛାତ୍ରଙ୍କ କଥାରେ ତାଳମେଳ ନଥିବା ତାଙ୍କ ସମ୍ପର୍କୀୟ ଶିଶିର କୁମାର ନାୟକ ଅଭିଯୋଗ କରିଛନ୍ତି। ସେ ଜଣେ ସାଧାସିଧା ପିଲା ଥିବାରୁ ତାଙ୍କର ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜୁଛି। ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ଘଟଣାକୁ ନେଇ ଟାଉନ ଥାନା ପୁଲିସକୁ ଲିଖିତ ଭାବେ ଜଣାଯାଇଛି। ତଦନ୍ତ ପରେ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କୁନାଲଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଇଲାରାଣୀ ପଟ୍ଟନାୟକ କହିଛନ୍ତି।

Related Posts

Seo wordpress plugin by www.seowizard.org.