Odisha News

ସୌର ପ୍ରକଳ୍ପ ଅଛି, କିନ୍ତୁ କାମ କରୁନି: ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୯/୨: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ସଦର ମହକୁମାଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଫିରିଙ୍ଗିଆ ପଞ୍ଚାୟତର ଖଜୁରୀପଡ଼ା ସାହିରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହି ଗାଁରେ ଏକ ସୌର ପ୍ରକଳ୍ପ ଥିବା ସତ୍ତ୍ବେ ଏହା କାର୍ଯ୍ୟକାରୀ ହେଉନାହିଁ।
ଖରାଦିନ ନ ଆସୁଣୁ ଏହି ଗାଁରେ ପାନୀୟ ଜଳ ସସମ୍ୟା ଉତ୍କଟ ରୂପ ଧାରଣ କରିଛି। ଏହି ଗାଁରେ ପାଖାପାଖି ଶହେ ପରିବାର ବାସ କରନ୍ତି ଏବଂ ଗାଁର ଜନସଂଖ୍ୟା ୫୦୦। ଦଶବର୍ଷ ତଳେ ଏହି ଗାଁରେ ଏକ ନଳକୂପ ଖନନ କରାଯାଇଥିଲା। ମାତ୍ର, ଅଧିକାଂଶ ସମୟରେ ନଳକୂପଟି ଅଚଳ ରହୁଥିବାରୁ ଗାଁଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିଲେ।
ଗାଁ ଲୋକଙ୍କ ଜଳକଷ୍ଟକୁ ଲକ୍ଷ୍ୟ କରି ଗତ ୨୦୨୦ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା।
ପୂର୍ବରୁ ଥିବା ନଳକୂପ ସହିତ ଏହି ପ୍ରକଳ୍ପକୁ ସଂଯୋଗ କରାଯାଇଥିଲା। କିନ୍ତୁ ବିଭାଗୀୟ ଅବହେଳା କାରଣରୁ ପ୍ରକଳ୍ପଟି ମାତ୍ର ଏକ ମାସ ଚାଲିବା ପରେ ବନ୍ଦ ହୋଇଗଲା। ଯେଉଁ ଉଦ୍ଦେଶ୍ୟ ନେଇ ଗ୍ରାମରେ ଏହି ସୌର ପ୍ରକଳ୍ପଟି ଆରମ୍ଭ ହୋଇଥିଲା, ତାହା ଅଧାରୁ ଅଟକିଗଲା।
ଏଣୁ ଗ୍ରାମବାସୀ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ସେହି ପୁରୁଣା ନଳକୂପ ଉପରେ ନିର୍ଭର କରୁଛନ୍ତି। ଠିକ୍ ଏତିକି ବେଳକୁ ନଳକୂପଟି ଅଚଳ ହୋଇ ଗ୍ରାମବାସୀଙ୍କୁ ମଝିରେ ମଝିରେ ଝଟ୍କା ଦେଉଛି। ନଳକୂପରୁ ଅତି କ୍ଷୀଣ ସ୍ରୋତରେ ପାଣି ବାହାରୁ ଥିବାରୁ ବାଲ୍ଟିଏ ପାଣି ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମର ପାଣି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭ କରି ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସମାଧାନ ହୋଇପାରୁନାହିଁ।
ତୁରନ୍ତ ଏହି ସୌର ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗ୍ରାମର ରାଜେଶ କୁମାର ଦିଗାଳ, ଦେବରାଜ ଦିଗାଳ, ନୀଳକଣ୍ଠ ଦିଗାଳ, ଭୋଳାନାଥ ଦିଗାଳ, ପ୍ରକାଶ ଦିଗାଳ, ନୟନୀ ଦିଗାଳ, ଲଳିତା ଦିଗାଳ, ବିନତୀ ଦିଗାଳ, ମୀନା ଦିଗାଳ ପ୍ରମୁଖ ଚେତାବନୀ ଦେଇଛନ୍ତି।

Related Posts

Seo wordpress plugin by www.seowizard.org.