Bollywood Odisha News

ସୁକେଶର ଗର୍ଲଫ୍ରେଣ୍ଡ ହୋଇଥିଲେ ବଡ଼ ଘର ପାଇଥାଆନ୍ତେ ନୋରା

ନୂଆଦିଲ୍ଲୀ,୧୮/୧: ପ୍ରେମିକା ହେଲେ ବଡ଼ ଘର ଓ ବିଳାସପୂର୍ଣ୍ଣ ଜୀବନ ଦେବି। ସୁକେଶଙ୍କୁ ନେଇ ଏଭଳି ବୟାନ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ନୋରା ଫତେହି।
ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୧୫କୋଟି ଟଙ୍କା ଠକେଇ ମାମଲାରେ ସାକ୍ଷୀ ହୋଇଥିବା ନୋରା ଫତେହି ମଙ୍ଗଳବାର ଦିନ କୋର୍ଟରେ ତାଙ୍କ ବୟାନ ରେକର୍ଡ କରିଥିଲେ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ହାତରେ ନୋରାଙ୍କ ବୟାନର କପି ଲାଗିଥିବା ବେଳେ ଅଭିନେତ୍ରୀ କ’ଣ ସବୁ କହିଥିଲେ, ତାହା ସାମ୍ନାକୁ ଆସିଛି।
ନୋରା କହିଛନ୍ତି ଯେ, ମହାଠକ ସୁକେଶ ସିଧାସଳଖ ଭାବେ କଥା ନହୋଇ ତାଙ୍କ ଘନିଷ୍ଠ ସହଯୋଗୀ ପିଙ୍କି ଇରାନୀଙ୍କ ମାଧ୍ୟମରେ ବିଭିନ୍ନ ଅଫର ମୋତେ ଦେଉଥିଲେ। ପିଙ୍କି ଇରାନୀଙ୍କ ମାଧ୍ୟମରେ ସୁକେଶ ଚନ୍ଦ୍ରଶେଖର ମୋତେ ଏକ ବଡ ଘର ଏବଂ ବିଳାସପୂର୍ଣ୍ଣ ଜୀବନ ଦେବାର ପ୍ରତିଶ୍ରୁତି ଦେଇଥିଲେ।
ହେଲେ ଏହା ବଦଳରେ ମୋତେ ତାଙ୍କର ପ୍ରେମିକା ହେବାକୁ ପଡ଼ିବ ବୋଲି କହିଥିଲେ। ମୁଁ କୌଣସି ଜବାବ ନଦେବାରୁ ପିଙ୍କି ଇରାନୀ ମୋ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି କହିଥିଲେ ଯେ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ସୁକେଶଙ୍କ ଅଫରକୁ ଗ୍ରହଣ କରିବା ପାଇଁ ଅନାଇ ବସିଛନ୍ତି।
କିନ୍ତୁ ସୁକେଶ ନୋରା ଫତେହିଙ୍କୁ ପ୍ରେମିକା କରିବାକୁ ଚାହୁଁଛନ୍ତି। ଅନେକ ଅଭିନେତ୍ରୀ ସୁକେଶଙ୍କର ପ୍ରେମିକା ହେବାକୁ ଲାଇନ ଲଗାଇଛନ୍ତି ବୋଲି ପିଙ୍କି ଇରାନୀ ମୋ ସମ୍ପର୍କୀୟଙ୍କୁ କହିଥିଲେ।
ନୋରା ଆହୁରି କହିଛନ୍ତି ଯେ, ଏସବୁ ପରେ ବି ମୁଁ ତାଙ୍କର ଅଫର ଗ୍ରହଣ କରିନଥିଲି। ସୁକେଶ ଜଣେ କନମ୍ୟାନ ବୋଲି ମୋତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୋଟିସ ପଠାଇବା ପରେ ମୁଁ ଜାଣିଥିଲି।

Related Posts

Seo wordpress plugin by www.seowizard.org.