Odisha News

ସୀମା ଟପିଲା ନୃଶଂସତା: ୫୧ ଥର ସ୍କ୍ରୁଡାଇଭର ଭୁଷି ଯୁବତୀଙ୍କୁ ହତ୍ୟା

କୋରବା,୨୭/୧୨: ଛତିଶଗଡ଼ରୁ ଅତ୍ୟନ୍ତ ଲୋମହର୍ଷଣକାରୀ ଓ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। କଥା ନ ହେବାରୁ ୨୦ ବର୍ଷୀୟ ଯୁବତୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ଯୁବକ। ଯୁବତୀଙ୍କ ମୁହଁକୁ ବନ୍ଦ କରି ଯୁବକ ଜଣଙ୍କ ତାଙ୍କୁ ଗୋଟିଏ ସ୍କ୍ରୁ ଡାଇଭର୍ରେ ୫୧ଥର ଆକ୍ରମଣ କରି ହତ୍ୟା କରିଛନ୍ତି। ଯୁବତୀ ଜଣଙ୍କ କଥା ହେବାକୁ ମନା କରି ଦେବାରୁ ପ୍ରତିଶୋଧ ପରାୟଣ ହୋଇ ଯୁବକ ଜଣଙ୍କ ଏପରି କାଣ୍ଡ ଘଟାଇଥିବା ପୁଲିସ୍ ଜାଣିବାକୁ ପାଇଛି।
ସିଟି ଏସ୍ପି (କୋରବା) ବିଶ୍ୱଦୀପକ ତ୍ରିପାଠୀ କହିଛନ୍ତି, ଘଟଣାଟି କୋରବା ଜିଲ୍ଲା ଏସ୍ଇସିଏଲର ପମ୍ପ ହାଉସ କଲୋନୀରେ ଡିସେମ୍ବର ୨୪ରେ ଘଟିଥିଲା। ଘଟଣା ଦିନ ଯୁବତୀ ଜଣଙ୍କ ତାଙ୍କ ଘରେ ଏକା ଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଆକ୍ରମଣ କରିଥିଲେ। ସେ ଚିତ୍କାର କରିବାରୁ ତାଙ୍କ ମୁହଁକୁ ପ୍ରଥମେ ଗୋଟିଏ ତକିଆ ଦ୍ୱାରା ଚାପି ଧରିଥିଲେ। ଏହାପରେ ସ୍କ୍ରୁ ଡାଇଭର ଦ୍ୱାରା ୫୧ ଥର ଆକ୍ରମଣ କରି ହତ୍ୟା କରିଥିଲେ।
ଘଟଣାର କିଛି ସମୟ ପରେ ଯୁବତୀଙ୍କ ଭାଇ ଘରକୁ ଆସିଥିଲେ। ସେ ତାଙ୍କ ଭଉଣୀକୁ ରକ୍ତାକ୍ତ ଅବସ୍ଥାରେ ଦେଖି ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ବୋଲି ଏସ୍ପି ତ୍ରିପାଠୀ ସୂଚନା ଦେଇଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୩ ବର୍ଷ ତଳେ ଜଶପୁର ଜିଲ୍ଲାରେ ରହୁଥିବା ଅଭିଯୁକ୍ତ ଓ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ସେ ଯେଉଁ ବସ୍ରେ କଣ୍ଡକ୍ଟର ଭାବେ କାର‌୍ୟ୍ୟ କରୁଥିଲେ ସେଥିରେ ଯୁବତୀ ଜଣଙ୍କ ଯିବା ଆସିବା କରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପରିଚୟ ସୃଷ୍ଟି ହୋଇଥିଲା ଓ ପରେ ଏହା ବନ୍ଧୁତାର ରୂପ ନେଇଥିଲା।
ତେବେ ଏସବୁ ଭିତରେ ଅଭିଯୁକ୍ତ ଜଣଙ୍କ ଅଲଗା କାମ ପାଇଁ ଗୁଜରାଟର ଅହମଦାବାଦ ଚାଲି ଯାଇଥିଲେ। ସେଠାରେ ରହି ଉଭୟ ଫୋନରେ କଥାବାର୍ତ୍ତା ହେଉଥିଲେ। କିନ୍ତୁ କିଛି ଦିନ ହେବ ହଠାତ୍ ଯୁବତୀ ଜଣଙ୍କ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ।
ଏଥିରେ ରାଗି ଯାଇ ସେ ଯୁବତୀ ଓ ତାଙ୍କ ବାପା ମା’ଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଏହି ସବୁ ବିବାଦ ଭିତରେ ସେ ୨୪ ତାରିଖ ଦିନ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।
ପୁଲିସ୍ ଏହି ଘଟଣାରେ ଗୋଟିଏ ମାମଲା ରୁଜୁ କରିଛି। ଏଥିସହ ହତ୍ୟା ଅଭିଯୁକ୍ତକୁ ଧରିବା ପାଇଁ ୪ଟି ଟିମ ଗଠନ କରାଯାଇଥିବା କହିଛି।

Related Posts

Seo wordpress plugin by www.seowizard.org.