ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ବଡ ଭାଇର ଶାବଳ ମାଡରେ ସାନ ଭାଇ ମୃତ

ରାଉରକେଲା/ ବୀରମିତ୍ରପୁର,୫/୪ : ବୀରମିତ୍ରପୁର ଥାନା ଅନ୍ତର୍ଗତ ବାରାବାଶ ଗୌଡ଼ଟୋଲି ଵସ୍ତିରେ ବଡଭାଇ ଶାବଳରେ ଆକ୍ରମଣ କରି ସାନଭାଇର ଜୀବନ ନେଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାଇ ବାରାବାଶ ଗୌଡ଼ଟୋଲି ଵସ୍ତିରେ ରହୁଥିବା ୩୦ ବର୍ଷୀୟ ବୁଧରାମ ମାଝୀ ଗତକାଲି ରାତିରେ ଘରେ ଶୋଇଥିଲେ। ରାତି ପ୍ରାୟ ୧୦ଟା ସମୟରେ ମୃତକ ବୁଧରାମଙ୍କର ୪୦ ବର୍ଷୀୟ ବଡ଼ଭାଇ ଶିବାଜୀ ମାଝୀ ମଦ ଧରି ଘରକୁ ଆସିଥିଲା ଏବଂ ସାନଭାଇ ବୁଧରାମ ସହିତ ମିଶି ମଦ୍ୟପନ କରିଥିଲା।
ଦୁଇଭାଇ ମଦ ପିଉଥିବା ବେଳେ କୌଣସି କଥାକୁ ନେଇ ସେମାନଙ୍କ ଭିତରେ ଵଚସା ହେବାରୁ ବଡ଼ଭାଇ ଶିବାଜୀ ରାଗିଯାଇ ଘରେ ଥିବା ଏକ ଶାବଳରେ ସାନଭାଇ ବୁଧରାମର ମୁଣ୍ଡରେ ପାହାର ପକେଇବାରୁ ବୁଧରାମ ତଳେ ପଡିଯାଇଥିଲେ।
ଘଟଣାସ୍ଥଳରେ ହିଁ ବୁଧରାମଙ୍କ ମୃତ୍ୟୁ ଘଟିଥିଲା। ପାଟିତୁଣ୍ଡ ଶୁଣି ଘର ପାଖରେ ରହୁଥିବା ତାଙ୍କ ଦାଦପୁଅ ଭାଇ ପଦ୍ମନ ମାଝୀ ଆସିବାରୁ ତାଙ୍କ ଉପରେ ମଧ୍ୟ୍ୟ ଶିବାଜୀ ଆକ୍ରମଣ କରିଥିଲା। ହେଲେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଥିଲେ ପଦ୍ମନ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବୀରମିତ୍ରପୁର ଥାନା ଅଧିକାରୀ ମନୋଜ ମଞ୍ଜୁରୀ ନାଏକ ପୁଲିସ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ମୃତ ବୁଧରାମ ମାଝୀର ଶବକୁ ଜବତ କରିଥିଲେ। ଏଥିସହ ଅଭିଯୁକ୍ତ ବଡ଼ଭାଇ ଶିବାଜୀକୁ ବାରାବାଶ ଗୌଡ଼ଟୋଲି ଵସ୍ତି ନିକଟରୁ ଗିରଫ କରି ଥାନାକୁ ଆଣି ପଚରାଉଚରା ଚଳାଇଛନ୍ତି।