Odisha News

ସରିଲା ଦଣ୍ଡ ଯାତ୍ରା; ମେରୁରେ ଯାତ୍ରା ସାରି ମନ୍ଦିରକୁ ଫେରିଲେ ମା’କାଳୀ

ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ
ବାଲିଗୁଡା,୧୪/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ୍ ର ବିଭିନ୍ନ ଗ୍ରାମରେ ୧୩ ଓ ୧୪ ଦିନ ଧରି ଆୟୋଜିତ ହୋଇଥିବା ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି ।
ଏହି ବ୍ଳକ୍ ର ବିଭିନ୍ନ ଗ୍ରାମରେ ୧୩ ଦିନିଆ ଦଣ୍ଡ ଯାତ୍ରା ମାସନ୍ତ ମେରୁରେ ଏବଂ ୧୪ ଦିନିଆ ସଂକ୍ରାନ୍ତି ମେରୁରେ ଉଦଯାପିତ ହୋଇ ମା\’ କାଳୀ ନିଜନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ରୀତିନୀତି ମୁତାବକ ପ୍ରାତଃ ସମୟରୁ ବିଭିନ୍ନ ଗ୍ରାମର ଦଣ୍ଡୁଆ ମାନେ ଠାକୁରଙ୍କୁ ଧରି ଦଣ୍ଡଯାତ୍ରା ଥିବା ଗ୍ରାମକୁ ଫେରିଥିଲେ । ସେଠାରେ ଠାକୁରଙ୍କର ଦୈନନ୍ଦିନ ପୂଜାବିଧି କରାଯିବା ସହିତ ମଧ୍ୟାହ୍ନରେ ଧୂଳିଦଣ୍ଡ, ଅପରାହ୍ନ ରେ ପାଣିଦଣ୍ଡ ଏବଂ ନଗର ଭ୍ରମଣ ସରିବା ପରେ ମେରୁ ମଣ୍ଡପକୁ ଠାକୁର ବିଜେ କରିଥିଲେ ।
ସେଠାରେ କାଳିସୀଙ୍କୁ ସ୍ନାନ କରାଯିବା ପରେ ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରବଳ ଖରା ସତ୍ତ୍ୱେ ମେରୁ ଯାତ୍ରା ଦେଖିବା ପାଇଁ ମେରୁମଣ୍ଡପ ଗୁଡ଼ିକରେ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବକୁ ମିଳିଥିଲା । ହରିବୋଲ, ହୁଳହୁଳି,ଜୟ ରୁଦ୍ରକାଳୀ ଧ୍ୱନି ସହିତ ଢୋଲ,ମହୁରୀ,ଗିନି ଶବ୍ଦରେ ମେରୁ ମଣ୍ଡପ ଗୁଡ଼ିକ ପ୍ରକମ୍ପିତ ହୋଇଥିଲା । ବିଶେଷ କରି ମେରୁ ଯାତ୍ରା ପରେ ପ୍ରସାଦ ରୂପେ ଫୋପଡା ଯାଉଥିବା ଖଜୁରୀ ଏବଂ ଆମ୍ବ ଗୋଟାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।
ସନ୍ଧ୍ୟାରେ ଆଳତୀ ଅନୁଷ୍ଠିତ ହେବା ପରେ ରାତିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
କନ୍ଧମାଳ ଜିଲ୍ଲାକୁ ଆଉ ତିନୋଟି ଜାତୀୟ ରାଜପଥ ସଂଯୋଗ ପାଇଁ ପୂର୍ବତନ ବିଧାୟକଙ୍କ ଦାବୀ
ବାଲିଗୁଡ଼ା,୧୪/୪: କନ୍ଧମାଳ ଜିଲ୍ଲା କୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଭବନ ରେ ଭେଟିଛନ୍ତି। ଏହି ଜିଲ୍ଲା ଦେଇ ଏକ ମାତ୍ର ଜାତୀୟ ରାଜପଥ ରାୟପୁର ଠାରୁ ଗୋପାଳପୁର ୫୯ନଂ. ଜାତୀୟ ରାଜପଥ ରହିଥିବା ବେଳେ ଏବେ ପୁଣି ଜିଲ୍ଲା ଦେଇ ଆଉ ତିନୋଟି ଜାତୀୟ ରାଜପଥ ନିର୍ମାଣ ପାଇଁ ଲିଖିତ ପ୍ରସ୍ତାବ ଦେଇଛନ୍ତି। ସେ ଗୁଡିକ ହେଲା ଜାତୀୟ ରାଜପଥ ନଂ.୫୭ ମାଧପୁର ଠାରୁ ଖଜୁରୀପଡ଼ା,ଫୁଲବାଣୀ,ଫିରିଙ୍ଗିଆ, ସାରଙ୍ଗଗଡ ଦେଇ କ. ନୂଆଗାଁ ନିକଟସ୍ଥ ଦାରିଙ୍ଗବାଡି ୫୯ନଂ.ଜାତୀୟ ରାଜପଥ କୁ ସଂଯୋଗ , ଦ୍ୱିତୀୟ ବାଲିଗୁଡ଼ା ୫୯ ନଂ. ଜାତୀୟ ରାଜପଥ ଠାରୁ ବାରଖମା, ସୁଡ୍ରା, ଲଣ୍ଡାଗାଁ, କଣ୍ଟାମାଳ ଦେଇ ସୋନପୁର ନିକଟରେ ସଂଯୋଗ, ତୃତୀୟ ରେ ତୁମୁଡ଼ିବନ୍ଧ ୫୯ ନଂ.ଜାତୀୟ ରାଜପଥ ଠାରୁ କୋଟଗଡ, ମୁନିଗୁଡ଼ା, ବିଷମକଟକ ହୋଇ ରାୟଗଡ଼ା ରେ ସଂଯୋଗ ।ପୁର୍ବରୁ ଏକ ଲିଖିତ ପତ୍ର ପ୍ରଦାନ କରିଥିବା ବେଳେ ଏବେ ପୁଣି ଉକ୍ତ ଦାବୀ କୁ ପତ୍ର ମାଧ୍ୟମରେ ଦୋହରାଇଛନ୍ତି। ଯାହାକୁ କେନ୍ଦ୍ର ମନ୍ତ୍ରୀ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି। ପୂର୍ବ ଚିଠି ନେଇ କଣ ଅଗ୍ରଗତି ହୋଇଛି ତାହା ଖୁବ ଶିଘ୍ର ପୂର୍ବତନ ବିଧାୟକ ଶ୍ରୀ ମାଝୀ ଙ୍କୁ ଜଣାଇବା ପାଇଁ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।
ତେବେ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଖୁବ ଶିଘ୍ର ଏହି କାର୍ଯ୍ୟ ଆଗକୁ ନେଇ ଜାତୀୟ ରାଜପଥ ମାନ୍ୟତା ପ୍ରଦାନ କରିବେ। ଏହି ତିନୋଟି ଜାତୀୟ ରାଜପଥ ନିର୍ମାଣ ହୋଇଗଲେ କନ୍ଧମାଳ ଜିଲ୍ଲା ରୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯାତାୟାତ ସହ ପଶ୍ଚିମ, ଦକ୍ଷିଣ ଓ ପୂର୍ବ ଓଡ଼ିଶାକୁ ଯାତାୟାତ ପାଇଁ ରାସ୍ତା ସୁଗମ ହୋଇ ପାରିବ।

Related Posts

Seo wordpress plugin by www.seowizard.org.