ସରକାର ଦେଉଛନ୍ତି ୟୁନିଫର୍ମ ଓ ଜୋତା; ପିଲାଙ୍କୁ ମିଳୁନି, ଡମ୍ପିଂୟାର୍ଡକୁ ଯାଉଛି

କୋରାପୁଟ,୧୭/୧୧: ରାଜ୍ୟ ସରକାର ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥାଠାରୁ ଆରମ୍ଭ କରି ୟୁନିଫର୍ମ, ବ୍ୟାଗ୍ ଜୋତା ବି ଯୋଗାଇ ଦେଉଛନ୍ତି।
ମାତ୍ର ଏହି ଡ୍ରେସ୍ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଡର୍ମ୍ପିଂୟାର୍ଡରେ ଫିଙ୍ଗାଯାଉଛି। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରିଗୁଡ଼ାରେ।
ବୈପାରୀଗୁଡ଼ାଠାରୁ ୨ କିମି ଦୂରରେ ଥିବା ଏକ ଡମ୍ପିଂୟାର୍ଡରେ ସ୍କୁଲ ଓ ଅଙ୍ଗନଓ୍ବାଡି ପିଲାଙ୍କ ଲକ୍ଷାଧିକ ଟଙ୍କାର ୟୁନିଫର୍ମ ପଡ଼ିଥିବା ଦେଖିବାକୁ ମିଳିଛି।
ତେବେ ଏସବୁ ପିଲାମାନଙ୍କୁ ନ ବାଣ୍ଟି କିଏ କାହିଁକି କେଉଁ ଉଦ୍ଦେଶ୍ୟରେ ଫିଙ୍ଗିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।