ସରକାର ‘ଜୋମାଟୋ’ ସେବା ଯୋଗାଉ ନାହାନ୍ତି କହି ଉତ୍ତର ପ୍ରଦେଶ ‘ଆଇଏଏସ୍’ ଅଫିସର ସମାଲୋଚିତ

ଲକ୍ଷ୍ନୌ,୧୪/୧୦ : ‘ଆପଣଙ୍କ ଘର ଚତୁଃପାର୍ଶ୍ୱରେ ପାଣି ହେବା ଆଗରୁ ତୁରନ୍ତ ବାତ୍ୟା ଆଶ୍ରୟ ସ୍ଥଳୀକୁ ପଳାଇ ଆସନ୍ତୁ। ଏଠାରେ ସରକାରଙ୍କ ତରଫରୁ ଖାଇବା, ରହିବାଠୁ ଆରମ୍ଭ କରି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ନଚେତ ଘରେ ଘରେ ଖାଦ୍ୟ ପହଞ୍ଚାଇବା ସମ୍ଭବ ନୁହେଁ। କାରଣ ସରକାର ଏଠାରେ ଜୋମାଟ ସର୍ଭିସ ଖୋଲି ନାହାନ୍ତି ଯେ ପ୍ରତି ଦୁଆରେ ଖାଦ୍ୟ ପହଞ୍ଚାଇବେ। ’ ବନ୍ୟା ପ୍ରପୀଡ଼ିତଙ୍କୁ ଏପରି ମନ୍ତବ୍ୟ ଦେଇ ଖୁବ୍ ସମାଲୋଚିତ ହେଉଛନ୍ତି ଉତ୍ତରପ୍ରଦେଶର ଆମ୍ବେଦକରନଗର ଜିଲ୍ଲାପାଳ ସାମୁଏଲ ପଲ । ଏପରିକି ଏଥିଯୋଗୁ ତାଙ୍କୁ ସୋଶାଲ ମିଡିଆରେ ଖୁବ୍ ଟ୍ରୋଲ କରାଯିବା ସହ ଅସମ୍ବେଦନଶୀଳ ଅଫିସର ବୋଲି ବି କହିବାକୁ ପଛାଇ ନାହାନ୍ତି ଲୋକେ।
ଉତ୍ତରପ୍ରଦେଶର ଆମ୍ବେଦକରନଗର ଜିଲ୍ଲା ଘାଘାରା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛ। ବହୁ ଲୋକ ପାଣି ଘେରରେ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପ୍ରପୀଡ଼ିତଙ୍କୁ ଆଶ୍ରୟ ସ୍ଥଳୀକୁ ଅଣାଯିବା ସହ ରିଲିଫ ପ୍ରଦାନ କରାଯିବା କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।
ଏପରି ସମୟରେ ଆମ୍ବେଦକରନଗର ଜିଲ୍ଲାପାଳଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଖୁବ୍ ଟ୍ରୋଲ କରାଯାଉଛି। ଭାଇରାଲ ଭିଡିଓରେ ଜିଲ୍ଲାପାଳ ସାମୁଏଲ ପଲ ଏକ ବାତ୍ୟା ଆଶ୍ରୟସ୍ଥଳୀକୁ ପରିଦର୍ଶନରେ ଯାଇଥିବା ବେଳେ ସେଠାରେ ବନ୍ୟା ପ୍ରପୀଡ଼ିତଙ୍କ ସହ ଆଲୋଚନା କରିବାର ଦେଖାଯାଉଛି।
ଏଥିସହ ପାଣି ଘେରରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ପଳାଇ ଆସିବାକୁ ପରାମର୍ଶ ଦେଉଛନ୍ତି। ଏଥିସହ ଲୋକମାନଙ୍କୁ ସେ କହିଛନ୍ତି, ଯଦି ଆପଣମାନେ ଏଠାକୁ ନ ଆସି ଘରେ ରହିବେ ତେବେ ଆପଣଙ୍କ ପାଖରେ ଖାଦ୍ୟ କିପରି ପହଞ୍ଚାଯିବ । ଏଠାରେ ସରକାର ଜୋମାଟୋ ସର୍ଭିସ ଖୋଲି ନାହାନ୍ତି ଯେ ଘରେ ଘରେ ଖାଦ୍ୟ ପହଞ୍ଚାଇବେ।
ଏଥିସହ ସେ କହିଛନ୍ତି, ଆପଣଙ୍କ ଘର ପାଣି ଘେରରେ ଥିଲେ ତୁରନ୍ତ ଗାଁ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀକୁ ଆସନ୍ତୁ। ପ୍ରତି ୧ କିମି ବ୍ୟବଧାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଏଠାରେ ଖାଇବା, ପିଇବା, ଶୌଚାଳୟ ଆଦି ସବୁ ବ୍ୟବସ୍ଥା ରହିଛି। ଡାକ୍ତରୀ ଦଳ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ତେଣୁ ଘରେ ନ ରହି ଏଠାକୁ ଚାଲି ଆସନ୍ତୁ ବୋଲି ସେ କହିଛନ୍ତି ।
ମାତ୍ର ଜିଲ୍ଲାପାଳଙ୍କ ଜୋମାଟୋ ମନ୍ତବ୍ୟକୁ ଲୋକେ ପସନ୍ଦ କରୁ ନ ଥିବା ବେଳେ ତାଙ୍କୁ ସୋଶାଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଉଛି।