Odisha News

ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା ସିଲ୍: ଅନିର୍ଦ୍ଧିଷ୍ଟ କାଳପାଇଁ କର୍ଫ୍ୟୁ

ସମ୍ୱଲପୁର,୧୫/୪: ହନୁମାନ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଶୋଭାଯାତ୍ରା ବେଳେ ସମ୍ୱଲପୁରରେ ଘଟିଥିବା ହିଂସା ପରେ ଶୂନଶାନ୍ ଓ ଖାଁ ଖାଁ ରହିଛି ପୂରା ସହର। ଏକପ୍ରକାର ଜନଶୂନ୍ୟ ହୋଇପଡ଼ିଛି ଜିଲ୍ଲା ସ୍କୁଲ ଛକ। ହିଂସାକାଣ୍ଡ ସ୍ଥଳ ମୋତିଝରଣଠୁ ଗେଙ୍ଗୁଟିପାଲି ଯାଏଁ ପ୍ରଭାବିତ ହୋଇଛି ମଣିଷ ଚଳାଚଳ।
କୌଣସି ଆଇନଶୃଙ୍ଖଳା ସ୍ଥିତି ଯେପରି ନଉପୁଜେ, ସେଥିପାଇଁ ଫ୍ଲାଗମାର୍ଚ୍ଚ କରି ଚେତାବନୀ ଶୁଣାଉଛି ପୁଲିସ। ଆଜି ଦୁଇ ଦୁଇ ଥର ଏଭଳି ଫ୍ଲାଗମାର୍ଚ୍ଚ ହୋଇଛି। ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍ପି ବି.ଗଙ୍ଗାଧର ଓ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ। ତା’ସହ ମୋତିଝରଣ ଅଞ୍ଚଳକୁ କଡ଼ା ସର୍ଭେଲାନସରେ ରଖିଛି ପୁଲିସ।
ବୁଧବାର ଘଟିଥିବା ହିଂସା ପରଠାରୁ ବିଭିନ୍ନ ଛକ ଜାଗାରେ ୧୪୪ ଧାରା ବଳବତ୍ତର ରହିଛି। ସେହିପରି ସୋଶାଲ୍ ମିଡିଆରେ ଉସୁକାଇବା ଭଳି ମେସେଜ ରୋକିବାକୁ ଆଜି ପୂର୍ବାହ୍ନ ୧୦ଟାରୁ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ବନ୍ଦ କରି ଦିଆଯାଇଛି ଇଣ୍ଟରନେଟ ସେବା। ଏଭଳି ସ୍ଥିତିରେ ଆସନ୍ତାକାଲି ହେବାକୁ ଥିବା ହନୁମାନ ଜୟନ୍ତୀ ସହ ଶୋଭାଯାତ୍ରା ପାଇଁ ଆଜି ଅପରାହ୍ନରୁ ୩୬ ଘଣ୍ଟା ଯାଏଁ ଦୋକାନ ବଜାରକୁ ବନ୍ଦ ରଖି ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଛି ହନୁମାନ ଜୟନ୍ତୀ ସମନ୍ୱୟ ସମିତି।
ବୁଧବାର ସମୟ ସଂଧ୍ୟା ପ୍ରାୟ ୬ଟା। ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ସହରରେ ବାହାରିଥିଲା ଶୋଭାଯାତ୍ରା। ତେବେ ମୋତିଝରଣ ରାସ୍ତାରେ ଶୋଭାଯାତ୍ରା ପହଞ୍ଚିବା କ୍ଷଣି ଆରମ୍ଭ ହୋଇଥିଲା ଟେକାପଥର ମାଡ଼। ହଠାତ୍ ତେଜିଥିଲା ଉତ୍ତେଜନା।
ଛିନଛତ୍ର ହୋଇପଡ଼ିରହିଥିଲା ଶୋଭାଯାତ୍ରାରେ ବ୍ୟବହୃତ ବାଇକ। ଆକ୍ରମଣରୁ ବର୍ତ୍ତପାରିନଥିଲେ ଅତିରିକ୍ତ ଏସ୍ପି, ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ସମେତ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ। ଏପରିକି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କରଙ୍କ ସହ ୧୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପୁଲିସ ୪୩ ଜଣଙ୍କୁ ଅଟକ ରଖିଛି।
ପେଟ୍ରୋଲ ବୋମା ଜବତ କରାଯିବା ସହ ୪୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା କହିଛନ୍ତି ଏସ୍ପି । ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, ଆସନ୍ତାକାଲି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ହେବ। ବିଭିନ୍ନ କମିଟି ସହିତ ଏନେଇ ଆଲୋଚନା ହୋଇଛି।

Related Posts

Seo wordpress plugin by www.seowizard.org.