Odisha News

ସମ୍ପର୍କର ମାନେ ବୁଝିଲାନି ସମ୍ପର୍କୀୟ ନାତି; କାଳ ହେଲା ଟଙ୍କା, ସୁନା ଲୋଭ

କଟକ,୧୦/୧୨: ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁର ଜେଜେଙ୍କୁ ହତ୍ୟା କରି ଜେଜେମାଆଙ୍କୁ ଗୁରୁତର କରିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ।
ଏହି ଘଟଣାରେ କେବଳ ଟଙ୍କା ଓ ସୁନା ପାଇଁ ନାତି ଓମ୍ ପ୍ରକାଶ ମୁଦୁଲି ତାର ଜେଜେ ହୃଷିକେଶ ମୁଦୁଲିଙ୍କୁ ହତ୍ୟା କରିଛି। ଏହି ମାମଲାରେ ହୃଷିକେଶଙ୍କ ସମ୍ପର୍କୀୟ ନାତି ଓମ୍ ପ୍ରକାଶ ମୁଦୁଲି(୧୯)ଙ୍କୁ ପୁଲିସ ଗିରଫ କରିଛି।
ଜେଜେ ଓ ଜେଜେମା କନକଲତା ମୁଦୁଲି ଶୋଇଥିବା ବେଳେ ପୂର୍ବ ଯୋଜନା ମୁତାବକ ଚୋରି ଉଦ୍ଦେଶ୍ୟରେ ଗଡରେଜ ଖୋଲିଥିଲା। ସେତିକିବେଳେ ଜେଜେ ତାହା ଦେଖିଦେଇଥିଲେ। ଏହି ସମୟରେ ଓମ୍ ପ୍ରକାଶ ଉତକ୍ଷିପ୍ତ ହୋଇ ଜେଜେଙ୍କୁ ସେ ରଖିଥିବା କଟୁରିରେ ମରଣାତ୍ମକ ଆକ୍ରମଣ କରିଥିଲା।
ପରେ ପରେ ଜେଜେ ମାଆ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଜେଜେଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାକୁ ଦୁର୍ଘଟଣା ରୂପ ଦେବା ପାଇଁ ସେ ଘରେ କମ୍ବଳରେ ନିଆଁ ଲଗାଇ ଦେଇଥିଲା। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାଲେପୁର ଏସଡିପିଓ ବିମଳ କୁମାର ବାରିକ ସୂଚନା ଦେଇଛନ୍ତି।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓମ୍ ପ୍ରକାଶଠାରୁ ୪ ହଜାର ୧୭୦ ଟଙ୍କା, ସୁନା ଚେନ , କାନଫୁଲ ହଳ, ରୁପା ଗହଣା, ସୁନା ଶଙ୍ଖା, ବାହୁଟି, ଫରୁଆ ସହ ମାରଣାସ୍ତ୍ର ଜବତ କରିଛି ପୁଲିସ।
ତଥ୍ୟ ଅନୁଯାୟୀ ଲେଣ୍ଡୁରାଭଗବାନପୁର ଗ୍ରାମର ହୃଷୀକେଶ ମୁଦୁଲି (୬୯) ସ୍ଥାନୀୟ ଅନନ୍ତେଶ୍ବର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର କିରାଣି ଭାବେ କାର‌୍ୟ୍ୟ କରି ଅବସର ଗ୍ରହଣ କରିଥିଲେ। ପତ୍ନୀ କନକଲତା (୫୮), ଗୋଟିଏ ପୁଅ ଓ ଝିଅକୁ ନେଇ ହୃଷୀକେଶଙ୍କ ପରିବାର। ପୂର୍ବରୁ ଝିଅର ବିବାହ ହୋଇଯାଇଥିଲା ବେଳେ ପୁଅ କଟକରେ ରହି ପଢୁଛନ୍ତି। ଘରେ ହୃଷୀକେଶ ଓ ପତ୍ନୀ କନକଲତା(୫୮) ରହୁଥିଲେ।

Related Posts

Seo wordpress plugin by www.seowizard.org.