Odisha News

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ,୧୯/୨: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି। ସପରିବାରେ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।
ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଶ୍ରୀମନ୍ଦିର ଆସିଥିଲେ। ରାଷ୍ଟ୍ରପତି ଅପରାହ୍ଣ ୫ଟା ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ପ୍ରାୟ ୪୫ ମିନିଟ୍ ଧରି ରାଷ୍ଟ୍ରପତି ଶ୍ରୀମନ୍ଦିରରେ ରହିଥିଲେ। ରାଷ୍ଟ୍ରପତିଙ୍କ ଦର୍ଶନ ନିମନ୍ତେ ଆଜି ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାତିରେ ପୁରୀରେ ରହିବେ। ସେଥିପାଇଁ ପୁରୀ ସ୍ଥିତ ରାଜଭବନରେ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ସକାଳ ୧୦ଟା ୩୫ରେ ରାଷ୍ଟ୍ରପତି ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ। ସେଠାରୁ ରାଷ୍ଟ୍ରପତି ସିଧା ଶରଧାବାଲି ସଭାସ୍ଥଳରେ ପହଞ୍ଚିବେ ଓ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ (ଗୌଡ଼ୀୟ ମଠ ମିଶନର ପ୍ରତିଷ୍ଠାତା)ଙ୍କ ୧୫୦ତମ ଜୟନ୍ତୀ ଅବସରରେ ୩ ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ ଉଦ୍ଘାଟନ କରିବେ। ଏହି କାର‌୍ୟ୍ୟକ୍ରମ ସାରି ସେ ଭୁବନେଶ୍ୱର ଫେରିଯିବେ ଓ ସେଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
ରାଷ୍ଟ୍ରପତିଙ୍କ ଦୁଇଦିନିଆ ଗସ୍ତ ପାଇଁ ପୁରୀରେ ବ୍ଲୁ ବୁକ୍ ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତାଳବଣିଆ ସ୍ଥିତ ହେଲିପ୍ୟାଡଠାରୁ ଆରମ୍ଭ କରି ରାଜଭବନ ଓ ରାଜଭବନରୁ ଭିଆଇପି ରୋଡ୍ ଦେଇ ମେଡିକାଲ ଛକ ଓ ଶ୍ରୀମନ୍ଦିର ପର‌୍ୟ୍ୟନ୍ତ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା। ଏଥିରେ ୪୦ ପ୍ଲାଟୁନ୍ ଫୋର୍ସ ଓ ୨ ଶହ ଅଧିକାରୀ ନିୟୋଜିତ ହୋଇଛନ୍ତି।
ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଜି ଅପରାହ୍ଣ ପ୍ରାୟ୨ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱର ବିମାନବନ୍ଦରରୁ ବାୟୂସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ସେଠାରୁ ସିଧାସଳଖ ପୁରୀ ଆସିଥିଲେ। ତାଙ୍କ ସାଙ୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଆସିଛନ୍ତି।

Related Posts

Seo wordpress plugin by www.seowizard.org.