Odisha News

ଶ୍ରମିକଙ୍କୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବା ମନା, ନିୟମ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୩/୩ : ଗ୍ରୀଷ୍ଣ ଋତୁରେ ସମ୍ଭାବ୍ୟ ଅଂଶୁଘାତକୁ ଏଡ଼ାଇବାକୁ ରାଜ୍ୟ ଶ୍ରମ ବିଭାଗ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରଚଣ୍ଡ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଏପ୍ରିଲ ୧ ତାରିଖରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ କାମ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତରୁ ରକ୍ଷା କରିବା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ବିହିତ ପଦକ୍ଷେପ ନେବା ନିମନ୍ତେ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଅଛି।
ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନଙ୍କ ଅଧୀନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଏପ୍ରିଲ ୧ ରୁ ଜୁନ ୧୫ ତାରିଖ ପର‌୍ୟ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର‌୍ୟ୍ୟନ୍ତ କାର‌୍ୟ୍ୟରେ ନ ଲଗାଇବାକୁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରିବେ ଓ ଆବଶ୍ୟକ ସ୍ଥଳେ କାର‌୍ୟ୍ୟନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବେ।
ଯଦି କୌଣସି କାର୍ଯ୍ୟ ଜରୁରୀ ବୋଲି ମନେହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଯେଉଁଥିରେ କି ଶ୍ରମିକମାନଙ୍କୁ ଏହି ସମୟ ପାଇଁ ବିଶ୍ରାମ ଦିଆଯାଇପାରିବ ନାହିଁ, ତେବେ ଉପରୋକ୍ତ ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିବେ। ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କ ପାଇଁ ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା ଏବଂ ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ଓ.ଆର.ଏସ. ପ୍ୟାକେଟର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ଅଟେ।
ଉପରୋକ୍ତ ପରିପ୍ରେକ୍ଷୀରେ ଜିଲ୍ଲାର ଚିକିତ୍ସାଧିକାରୀ (ସି.ଡ଼ି.ଏମ.ଓ.), ଉପମଣ୍ଡଳ ଚିକିତ୍ସାଧିକାରୀ (ଏସ.ଡ଼ି.ଏମ.ଓ.), ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପି.ଏଚ.ସି.), କମ୍ୟୁନିଟି ହେଲଥ ସେଣ୍ଟର (ସି.ଏଚ.ସି.) ଚିକିତ୍ସାଳୟ ଗୁଡ଼ିକର ଚିକିତ୍ସାଧିକାରୀ ତଥା କର୍ମଚାରୀ ରାଜ୍ୟ ବୀମା ଯୋଜନା ଅଧୀନରେ ଥିବା ଚିକିତ୍ସାଳୟମାନଙ୍କର ଚିକିତ୍ସାଧିକାରୀମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପ ଜନିତ ପରିସ୍ଥିତିର ସମ୍ଭାବ୍ୟ ମୁକାବିଲା ସହ ରୋଗୀମାନଙ୍କର ତତ୍ ସମ୍ୱନ୍ଧୀୟ ରୋଗର ଚିକିତ୍ସା ପାଇଁ ସତର୍କ ରହିବାକୁ କୁହାଯାଇଛି ।

Related Posts