Odisha News

ରୋଡ୍ ଶୋ’ ପାଇଁ ଟ୍ରାଫିକ୍ କଟକଣା, ଦିନ ୨ଟାରୁ ମାଷ୍ଟର କ୍ୟାଣ୍ଟିନ-ବାଣୀବିହାର ଏବଂ ୪ଟାରୁ ବାଣୀବିହାର-ମାଷ୍ଟର କ୍ୟାଣ୍ଟିନ ଗାଡି ଚଳାଚଳ ମନା

ଭୁବନେଶ୍ୱର, ୯/୫ : ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଏକ ରୋଡ୍ ଶୋ’ କରିବେ। ରାତି ସାଢ଼େ ୮ଟାରୁ ବିଜେପି ପାର୍ଟି ଅଫିସରୁ ଏହି ରୋଡ୍ ଶୋ’ ବାହାରିବାର କାର୍ଯ୍ୟକ୍ରମ ରହିଛି।
ଏହା ବାଣୀବିହାର ପର୍ଯ୍ୟନ୍ତ ଯିବ। ସେଥିପାଇଁ ଜନପଥରେ (ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ପର‌୍ୟ୍ୟନ୍ତ) ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ୍ ପୁଲିସ। କାଲି ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଗାଡ଼ି ଚଳାଚଳକୁ ମନା କରାଯାଇଛି। ଏହା ସହିତ ଜନପଥକୁ ସଂଯୋଗ କରୁଥିବା କୌଣସି ଗଳିରୁ ଗାଡ଼ିଗୁଡ଼ିକୁ ରାସ୍ତାକୁ ଛଡ଼ାଯିବନି।
ସୂଚନା ଅନୁଯାୟୀ, ଆସନ୍ତାକାଲି ରାତି ୮ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନପଥ ସ୍ଥିତ ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ। ରାତି ସାଢ଼େ ୮ଟାରୁ ସେ ରୋଡ୍ ଶୋ’ ଆରମ୍ଭ କରିବେ। ଏହା ରାତି ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ଚାଲିବ ଓ ବାଣୀବିହାର ଛକରେ ଶେଷ ହେବ।
ମୋଦିଙ୍କ ରୋଡ୍ ଶୋ’ରେ ଦେଖିବାକୁ ମିଳିବ ଓଡ଼ିଆ କଳା ଓ ସଂସ୍କୃତିର ଝଲକ। ବିଜେପି କାର୍ଯ୍ୟାଳୟରୁ ବାଣୀ ବିହାର ମଧ୍ୟରେ ୧୦ଟି ସ୍ଥାନରେ ରହିବ ଓଡ଼ିଶା କଳା ଓ ପରମ୍ପରାର ୧୦ଟି ଆଇକନ। ବିଜେପି ପାର୍ଟି ଅଫିସରେ କୋଣାର୍କ ଚକ୍ର ଓ ବାଣୀବିହାର ଛକରେ ଖଣ୍ଡଗିରି ଐତିହ୍ୟ ସ୍ଥାନିତ ହେବ। ଝାଞ୍ଜ ମୃଦୁଙ୍ଗରେ ମୋଦିଙ୍କୁ ସ୍ୱାଗତ କରାଯିବା ସହିତ ସମ୍ବଲପୁରୀ ଭଳି ଏକାଧିକ ଲୋକନୃତ୍ୟ ପ୍ରଦର୍ଶନ କରାଯିବ।
ଭୁବନେଶ୍ୱର ବାସିନ୍ଦାଙ୍କୁ ରୋଡ୍ ଶୋ’ ମାଧ୍ୟମରେ ଭେଟିବେ ପ୍ରଧାନମନ୍ତ୍ରୀ। ଏହା ପରେ ରାଜଭବନରେ ରାତ୍ରି ଯାପନ କରିବେ। ତା’ ପର ଦିନ (ଶନିବାର) ୩ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି। ପ୍ରଥମେ ସକାଳ ସାଢ଼େ ୯ଟାରେ କନ୍ଧମାଳ ଷ୍ଟାଡିୟମ ପଡ଼ିଆରେ ଏକ ସମାବେଶରେ ଯୋଗ ଦେବେ।
ପରେ ସାଢ଼େ ୧୧ଟାରେ ବଲାଙ୍ଗିରରେ ସାଧାରଣ ସଭାରେ ଉଦବୋଧନ ଦେବେ। ଶେଷରେ ଦିନ ଗୋଟାଏ ବେଳେ ବରଗଡ଼ ଟୋଲ ଗେଟ୍ ପଡ଼ିଆରେ ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ।

Related Posts

Seo wordpress plugin by www.seowizard.org.