Odisha News

ରାସ୍ତା ମଝିରେ ପୁଅକୁ ଟାଙ୍ଗିଆରେ ହାଣିଲା, ପରେ ରଶି ଲଗାଇ ଆତ୍ମହତ୍ୟା କଲା ବାପା

ନୂଆପଡ଼ା, ୨୪/୬: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଥାନା ଫୋକଟପଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ଏଠାରେ ପୁଅକୁ ଟାଙ୍ଗିଆରେ ହାଣିବା ପରେ ବାପା ଆତ୍ମହତ୍ୟା କରିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, କୌଣସି କାରଣରୁ ଫୋକଟପଡ଼ା ଗ୍ରାମର ନକୁଳ ରାଉତ(୫୫) ଓ ତାଙ୍କ ପୁଅ ସବିତ ରାଉତ(୩୫)ଙ୍କ ମଧ୍ୟରେ ଗତକାଲି ରାତିରେ ଭିଷଣ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନକୁଳ ରାଉତ ଘରେ ଥିବା ଏକ ଟାଙ୍ଗିଆରେ ପୁଅକୁ ହାଣିଥିଲେ। ଘଟଣାସ୍ଥଳରେ ସବିତର ମୃତ୍ୟୁ ହୋଇଥିଲା।
ଏହାପରେ ବାପା ନକୁଳ ରାଉତ ଘରେ ପଶିଯାଇ ଭିତରୁ କବାଟ ଦେଇ ଆତ୍ମହତ୍ୟା କରିଥିଲେ। ଘଟଣାସଂପର୍କରେ ଖବର ପାଇ ଧରମବନ୍ଧା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବହୃତ ଟାଙ୍ଗିଆ ଏବଂ ଉଭୟ ବାପପୁଅଙ୍କ ମୃତଦେହ ଜବତ କରିଛି। ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଛି ପୁଲିସ୍। ଏବେ ଘଟଣାସ୍ଥଳରେ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସବିତ ରାଉତ ବିବାହିତ ବୋଲି ଜଣାଯାଇଛି। ତାଙ୍କର ସ୍ତ୍ରୀ, ଗୋଟିଏ ୧୧ ବର୍ଷର ପୁଅ ଓ ଗୋଟିଏ ୮ ବର୍ଷର ଝିଅ ଅଛନ୍ତି।ଗତ କିଛି ଦିନ ତଳେ ପୁଅ ସବିତ ରାଜ୍ୟ ବାହାରୁ ଦାଦନ ଖଟି ନିଜ ଘର ଫେରିଥିଲେ। ଗତକାଲି ରାତି ୧୧ ଟାରେ ପୁଅ ସବିତ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ଏହି ସମୟରେ ବାପା ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିଲେ। ସେଠାରେ ବାଇକ ରଖିବାକୁ ନେଇ ବାପା ଓ ପୁଅ ମଧ୍ୟରେ ଝଗଡା ହୋଇଥିଲା।
ଏଥିରେ ଉତ୍ୟକ୍ତ ହୋଇ ବାପା ନକୁଳ ପୁଅ ସବିତକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସବିତଙ୍କ ମୁଣ୍ଡର ପଛ ପଟେ ଟାଙ୍ଗିଆ ଛୋଟ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହୋଇ ଗାଁ ଦାଣ୍ଡରେ ତଳି ପଡିଥିଲେ। ପୁଅର ମୃତ୍ୟୁ ପରେ ବାପା ମାନସିକ ଭାରସାମ୍ୟ ହରାଇ ଘର ଭିତରେ ଖୋଲା ଛାତର କାଠରେ ପ୍ଲାଷ୍ଟିକ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ।
ଆଜି ସକାଳେ ଖବର ପାଇ ଧରମବନ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ସଂଯୁକ୍ତା ବାର୍ଲା ସୂଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.