ରାଷ୍ଟ୍ରୀୟ ପେନସନ ଯୋଜନା ସଂପର୍କିତ ସଚେତନତା ଶିବିର ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୨ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହ ଠାରେ ରାଷ୍ଟ୍ରୀୟ ପେନସନ ଯୋଜନା ସଂପର୍କିତ ଏକ ସଚେତନତା ଶିବିର ଆଜି ପୂର୍ବାହ୍ନ ୧୦ଘ. ୩୦ ମି. ରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା କୋଷାଗାର ଅଧିକାରୀ, ବୌଦ୍ଧ ଶ୍ରୀଯୁକ୍ତ ଜଗନ୍ନାଥ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଏନପିଏସ୍ ସଂପର୍କିତ ସଚେତନତା ଏବଂ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ବିସ୍ତୃତଭାବେ ଏହି ବିଷୟରେ ଆଲୋଚନା କରାଯାଇଥିଲା ।
ଏହି ଅବସରରେ କୋଷାଗାର ଓ ନିରୀକ୍ଷଣ ନିର୍ଦ୍ଦେଶାଳୟ,ଓଡିଶା, ଭୁବନେଶ୍ୱରଙ୍କ ହିସାବ ଅଧିକାରୀ ମନୋରଞ୍ଜନ ସାହୁ ଏବଂ ଅରବିନ୍ଦ ସାହୁ, ଅତିରିକ୍ତ ଜିଲ୍ଲା କୋଷାଗାର ଅଧିକାରୀ ଅଜୟ କୁମାର ମଲ୍ଲିକ ଉପସ୍ଥିତ ରହି ଏନପିଏସ ସଂପର୍କିତ ବିଭିନ୍ନ ପ୍ରାୟୋଜିତ ପ୍ରସଙ୍ଗ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
ଏନପିଏସ୍ ଖାତା ଖୋଲିବା, ଅଂଶଧନ ଜମା, ସଂଶୋଧନ ପ୍ରକ୍ରିୟା, ଅଭିଯୋଗ ନିରାକରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତ ବିଶେଷଜ୍ଞ ସ୍ପଷ୍ଟ ବ୍ୟାଖ୍ୟା କରିଥିଲେ ।
ଏହି ଶିବିରରେ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଉଠାଣ ଓ ବିତରଣ ଅଧିକାରୀ, ଏନପିଏସ ଅନ୍ତର୍ଗତ କର୍ମଚାରୀ ମାନଙ୍କ ସହିତ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ଉପସ୍ଥିତ ଅଂଶଗ୍ରହଣକାରୀମାନେ ନିଜନିଜ ସମସ୍ୟା ଉପସ୍ଥାପନ କରିଥିବାବେଳେ,ସେଗୁଡିକର ସମାଧାନ ସଂପର୍କରେ ବିଶେଷଜ୍ଞ ମାନେ ମାର୍ଗଦର୍ଶନ କରିଥିଲେ ।
ଶିବିର ଶେଷରେ ଏପରି ସଚେତନତା କାର୍ଯ୍ୟକ୍ରମ (ଏନ୍ପିଏସ୍ ଅନ୍ତର୍ଗତ) କର୍ମଚାରୀମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ବୈଠକ ରେ ମତପ୍ରକାଶ ପାଇଥିଲା ।
ଏହି ଶିବିରରେ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ର ବରିଷ୍ଠ ସହାୟକ ଗୀତାଞ୍ଜଳି ନନ୍ଦ,ହିସାବ ରକ୍ଷକ ପି. ଲିଜା ପାତ୍ର, କନିଷ୍ଠ ସହାୟକ ପ୍ରଦୀପ କୁମାର ଶତପଥୀ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।




