Odisha News

ରାଜ୍ୟରେ ଦୁର୍ବଳ ହେଉଛି ମୌସୁମୀ, ପ୍ରଭାବରେ ଦିନ ତାପମାତ୍ରା ବଢୁଛି

ଭୁବନେଶ୍ବର,୩୦/୮ : ମୌସୁମୀଜନିତ ନିମ୍ନଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ହିମାଳୟ ପାଦଦେଶରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି।
ଫଳରେ ରାଜ୍ୟରେ ଆଜି ଦିନତମାମ ପ୍ରଚଣ୍ଡ ଖରା ହୋଇଥିଲା। ଏହାର ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ସହ ଉପକୂଳ ଓଡ଼ିଶାର ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ହେତୁ ଗୁଳୁଗୁଳି ଅନୁଭୂତ ହେଉଛି।
ଅନ୍ୟପଟେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୋମବାର ଦିନ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି।
ଉଙ୍ଗଳବାର ରାଜ୍ୟରେ ପାଗ ଶୁଖିଲା ରହିବ। କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। କିନ୍ତୁ ବିଶେଷ ବର୍ଷାର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି(ମଙ୍ଗଳବାର) ରାଜ୍ୟରେ ପାଗ ଶୁଖିଲା ରହିବା ପରେ ୩୧ ତାରିଖ ଦିନ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।
ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।
୧ ତାରିଖ ଦିନ ମଧ୍ୟ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ।
ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

Related Posts

Seo wordpress plugin by www.seowizard.org.