Odisha News

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୨୫ଶହ ଛୁଇଁବ

ଭୁବନେଶ୍ବର,୨୨/୮: ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। କ୍ରମାଗତ ଭାବରେ ବଢ଼ି ବଢ଼ି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଆଜି ସୁଦ୍ଧା ୧୩୧୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ୍ ହସ୍ପିଟାଲ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡ ଭିତର ଖଟରେ ଯେତିକି ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି, ବାରଣ୍ଡାରେ ମଧ୍ୟ ସେତିକି ଶୋଇଛନ୍ତି।
ଆଶ୍ଚର୍ଯ୍ୟର ବିଷୟ, ସ୍ଥିତି ଅଣାୟତ ହୋଇ ସାରିଥିବାବେଳେ ମଧ୍ୟ ଏ ପ୍ରମୁଖ ହସ୍ପିଟାଲରେ ଜଣେହେଲେ ଡେଙ୍ଗୁ ଆକ୍ରାନ୍ତଙ୍କୁ ମଶାରି ଦିଆ ଯାଇନାହିଁ। ତେଣୁ ଡେଙ୍ଗୁ ଆକ୍ରାନ୍ତ ହେବା ଆଶଙ୍କାରେ ଅନ୍ୟ ରୋଗୀମାନେ ଆତଙ୍କିତ ଅଛନ୍ତି। କାରଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ମଶା କାମୁଡ଼ି ଅନ୍ୟଜଣଙ୍କୁ କାମୁଡ଼ିଲେ ସେ ମଧ୍ୟ ଆକ୍ରାନ୍ତ ହୋଇଥାଏ। ନିକଟ ଅତୀତରେ ଜଣେ ଗର୍ଭବତୀ ମହିଳା ଏହି ମେଡିକାଲ୍ରେ ଡେଙ୍ଗୁ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ କରିଥିଲେ।
ଅନ୍ୟପଟେ ଏକ ଘରୋଇ ହସ୍ପିଟାଲ୍ରେ ଆଜି ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପତ୍ନୀ ଏକ ସରକାରୀ ହସ୍ପିଟାଲ୍ରେ କାମ କରୁ ଥିବାବେଳେ ତାଙ୍କୁ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପ୍ଲେଟ୍ଲେଟ୍ ମାତ୍ରା ଢେର୍ କମିଯିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
ଡେଙ୍ଗୁ ଜନିତ ମୃତ୍ୟୁ ବଢ଼ିବାରେ ଲାଗିଥିବାରୁ ଡେଙ୍ଗୁ ଅଡିଟ୍ ହେବାକୁ ଯାଉଛି। ଯେତେସବୁ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ହୋଇଛି, ସବୁଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଖୋଜାଯିବ। ଜଣେ ଡାକ୍ତର କହିଛନ୍ତି, ଡେଙ୍ଗୁ ହୃଦ୍ରୋଗୀଙ୍କ ପାଇଁ ବିପଜ୍ଜନକ। ରକ୍ତ ପତଳା କରିବା ପାଇଁ ସେମାନେ ଔଷଧ ଖାଇଥାନ୍ତି, କିନ୍ତୁ ଡେଙ୍ଗୁରେ ପ୍ଲେଟ୍ଲେଟ୍ ବଢ଼ାଇବା ପାଇଁ ଔଷଧ ଦିଅଯାଇଥାଏ।
ଉଭୟ ପରସ୍ପରର ବିରୁଦ୍ଧାଚରଣ କରୁଥିବାରୁ ରୋଗୀର ମୃତ୍ୟୁ ହେବାର ବହୁ ଆଶଙ୍କା ଥାଏ। ଏଭଳି ବିଭିନ୍ନ ଦିଗରୁ ଡେଙ୍ଗୁ ଅଡିଟ୍ କରାଯିବ। ମୃତ୍ୟୁକୁ ନେଇ ଯେଉଁସବୁ ଅଭିଯୋଗ ରହିଛି, ତାହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ହିସାବକୁ ଦେଖିଲେ, ଭୁବନେଶ୍ବରରେ ଗତ ୭ ଦିନରେ ୧୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ଦିନକୁ ହାରାହାରି ୨୦ରୁ ୨୧ ନୂଆ ଆକ୍ରାନ୍ତ ଜଣା ପଡ଼ିଛନ୍ତି। ପୂର୍ବରୁ ଏହା ୫୦ ପାଖାପାଖି ଥିଲା। ତେଣୁ ଏବେ ଆକ୍ରାନ୍ତର ହାର କମିଥିବା ରିପୋର୍ଟ କହୁଛି।
ଅନ୍ୟପକ୍ଷରେ ଆଜି ମୋଟ୍ ଉପରେ ୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ଭୁବନେଶ୍ବରରୁ ୨୧ ଜଣ ରହିଛନ୍ତି। ବାକି ଖୋର୍ଦ୍ଧା ଓ ଅନ୍ୟ ଜିଲ୍ଲାର ଆକ୍ରାନ୍ତ ରହିଛନ୍ତି। କ୍ୟାପିଟାଲ୍ ହସ୍ପିଟାଲ୍ରେ ସ୍ଥିତି ଅସମ୍ଭାଳ ହୋଇଥିବାରୁ ଆସନ୍ତାକାଲି ଠାରୁ ଆଉ ୨୦ ବେଡ୍ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଏବେ ସେଠାରେ ୨୦ଟି ଡେଙ୍ଗୁ ବେଡ୍ ଥିବାବେଳେ ଆଉ ୩୦ ଆକ୍ରାନ୍ତଙ୍କ ପାଇଁ ବ୍ୟବସ୍ତା ଥିବା କୁହା ଯାଉଛି।
ବିଏମ୍ସି ସୂତ୍ରରୁ ପ୍ରକାଶ ଯେ ଆଜି ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ କରିବା ସହ ନଷ୍ଟ କରିବା, ମଶା ତେଲ ପକାଇବା, ଧୂଆଁ ଦେବା, ଘାସକଟା ଭଳି କାର‌୍ୟ୍ୟକୁ ଗୁରୁତ୍ବ ଦିଆ ଯାଇଛି। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ସଚେତନ କରାଯାଉଥିବା ବେଳେ ଘର ଘର ସଂପର୍କ ଅଭିଯାନ ଚାଲିଛି। ଏଥିରେ ନିୟୋଜିତ କର୍ମଚାରୀମାନେ ପ୍ରତ୍ୟେକ ଦିନ ବିଏମ୍ସିକୁ ରିପୋର୍ଟ ଦେଉଛନ୍ତି। ଅପରପକ୍ଷରେ କଂଗ୍ରେସ କର୍ମକର୍ତ୍ତା ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଅଳିଆକୁ ହଟାଇ ପ୍ରତିବାଦ ଜଣାଇଛନ୍ତି।

Related Posts

Seo wordpress plugin by www.seowizard.org.