ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ କରୋନା ପଜିଟିଭ ଚିହ୍ନଟ, ମାତ୍ର ଜଣେ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର
ଭୁବନେଶ୍ବର, ୨୮/୪: ଗତକାଲି ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି।
ଏଥିମଧ୍ୟରୁ ମାତ୍ର ଜଣେ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୬ଟି ଜିଲ୍ଲାରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୨୪ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ।
ଗୁରୁବାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, ଯାଜପୁର ଜିଲ୍ଲାରୁ ୨ଜଣ, କଳାହାଣ୍ଡିରୁ ୧ ଜଣ, କନ୍ଧମାଳ ଜିଲ୍ଲାରୁ ୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏପର୍ୟ୍ୟନ୍ତ ରାଜ୍ୟରେ ୧୨, ୮୮, ୦୨୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୭୮, ୭୬୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।