Odisha News

ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦାରେ ଲାଗିବ ଲଗାମ, ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ, ୨୦/୯ : ରାଜନୈତିକ ଦଳମାନଙ୍କ ପାଖକୁ ଆସୁଥିବା ଅର୍ଥ ଦାନକୁ ନିୟନ୍ତ୍ରଣ କରାଯିବା ଉଚିତ । ଏପରି ନହେଲେ ରାଜନୈତିକ ଅର୍ଥଯୋଗାଣରେ ସ୍ବଚ୍ଛତା ଆସିବ ନାହିଁ ବୋଲି ଭାରତର ନିର୍ବାଚନ ଆୟୋଗ ମତ ପ୍ରକାଶ କରିଛନ୍ତି ।
କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ଏକ ଚିଠା ପ୍ରସ୍ତାବ ଦାଖଲ କରି ଆୟୋଗ ପକ୍ଷରୁ କୁହାଯାଇଛି ଯେ ରାଜନୈତିକ ପାଣ୍ଠି ଯୋଗାଣକୁ ସ୍ବଚ୍ଛ କରିବାକୁ ହେଲେ ଜନପ୍ରତିନିଧି ଆଇନରେ କେତେକ ସଂଶୋଧନ ଅଣାଯିବା ଆବଶ୍ୟକ ।

ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ରାଜନୈତିକ ଦଳମାନଙ୍କୁ ଦିଆଯାଉଥିବା ଦାନର ପରିମାଣ ୨ ହଜାର ଟଙ୍କାରୁ ଅଧିକ ହେଲେ ଦାତାଙ୍କ ପରିଚୟ ଗୋପନ ରଖାଯାଇପାରିବ ନାହିଁ ।
ବର୍ତ୍ତମାନ ଏହି ସୀମା ୨୦ ହଜାର ଟଙ୍କା ରହିଛି । ଆହୁରି ମଧ୍ୟ ଗୋଟିଏ ରାଜନୈତିକ ଦଳ ନିକଟକୁ ଆସୁଥିବା ମୋଟ ଦାନର କେବଳ ୨୦ ପ୍ରତିଶତ ଅଥବା ୨୦ କୋଟି (ଯେଉଁଟି କମ) ନଗଦ ଟଙ୍କା ଆକାରରେ ଆସିପାରିବ ।
ଅନ୍ୟପକ୍ଷରେ ନିର୍ବାଚନରେ ଛିଡ଼ା ହେଉଥିବା ଜଣେ ପ୍ରାର୍ଥୀ ଏକ ସ୍ବତନ୍ତ୍ର ବ୍ୟାଙ୍କ ଖାତା ଖୋଲିବେ । ଏହି ବ୍ୟାଙ୍କ ଖାତାରେ ହିଁ ନିର୍ବାଚନ ସଂପର୍କିତ ଅର୍ଥ ଆସିବ ଓ ବ୍ୟୟ କରାଯିବ । ଯଦି ଜଣେ ପ୍ରାର୍ଥୀ ଉଭୟ ବିଧାୟକ ଓ ସାଂସଦ ଭାବେ ଛିଡ଼ା ହେଉଛନ୍ତି ସେ ଦୁଇଟି ଅଲଗା ଅଲଗା ବ୍ୟାଙ୍କ ଖାତା ଖୋଲିବେ । ଏହା ଦ୍ବାରା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସଂପୃକ୍ତ ପ୍ରାର୍ଥୀଙ୍କ ଖର୍ଚ୍ଚର ତଦାରଖ କରିବା ସହଜ ହେବ ।

Related Posts

Seo wordpress plugin by www.seowizard.org.