Odisha News

ରାଜଧାନୀରେ ଲିଫ୍ଟ ଦେବା ନାଁରେ ଲୁଟ୍, ନିଶା ଦେଇ ଯୁବକଙ୍କ ଠାରୁ ଲୁଟି ନେଲେ ୭୫ ହଜାର

ଭୁବନେଶ୍ୱର,୩/୨: ଲିଫ୍ଟ ନେଇ ଫସିଗଲେ ଯୁବକ। ଲୁଟ୍ର ଶିକାର ହେଲେ, ମରଣାନ୍ତକ ଆକ୍ରମଣର ବି ଶିକାର ହେଲେ। ଏହାପରେ ଉଦ୍ଧାର ପାଇଁ ଯାହାକୁ ସାହାଯ୍ୟ ମାଗିଲେ, ସେମାନେ ବି ଚୋର ଭାବି ନିର୍ଧୂମ ପିଟିଲେ । ଲିଫ୍ଟ ନେଇ ଏପରି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି କେନ୍ଦ୍ରାପଡ଼ା ରାଜକନିକାର ବିରେନ୍ ପରିଡ଼ା ନାମକ ଯୁବକ ।
ଗତ ଏକ ତାରିଖରେ ବେଙ୍ଗାଲୁରୁରୁ ଭୁବନେଶ୍ୱରକୁ ଫେରିଥିଲେ ବିରେନ୍ । ସତସଙ୍ଗ ବିହାର ନିକଟରେ ପ୍ରଥମ ବସ୍ ଫେଲ୍ ହେବା ପରେ ଅନ୍ୟ ଏକ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଅପରିଚିତ ବ୍ୟକ୍ତି କାର୍ ଆଣି ଲିଫ୍ଟ ଦେବାକୁ କହିଥିଲେ । କାର୍ କଟକ ମହାନଦୀ ପୋଲ୍ ପାଖରେ ପହଞ୍ଚିବା ପରେ ସେଠି ଲୁଟେରାଜଣକ ତାଙ୍କୁ କିଛି ପିଇବାକୁ ଦେଇଥିଲେ । ଏହାପରେ ବିରେନ ଅଚେତ୍ ହୋଇପଡ଼ିଥିଲେ ।
ଏହାପରେ ଉକ୍ତ ଲୁଟେରାଙ୍କ ସହ ଆଉ କିଛି ଯୁବକଙ୍କ ସହ ମିଶି ତାଙ୍କୁ ପ୍ରବଳ ମାଡ଼ି ମାରି ରାସ୍ତାକଡ଼ରେ ଫୋପାଡ଼ି ତାଙ୍କଠୁ ସବୁ କିଛି ଲୁଟି ନେଇଥିବା କହିଛନ୍ତି ବିରେନ । ଲୁଟେରାମାନେ ତାଙ୍କ ନିକଟରେ ଥିବା ୨୫ ହଜାର କ୍ୟାସ୍ ସାଙ୍ଗକୁ ଏଟିଏମ୍ କାର୍ଡ ନେଇ ୭୫ ହଜାର ଟଙ୍କା ବାହାର କରି ନେଇ ଯାଇଥିବା ବିରେନ ଅଭିଯୋଗ କରିଛନ୍ତି। ଏତିକିରେ ସରିନଥିଲା ବିରେନ୍ଙ୍କ ଦୁର୍ଦ୍ଦଶା ।
ସକାଳୁ ଛତିଆ ନିକଟରେ ଏକ ପୋଖରି ନିକଟରେ ସେ ପଡ଼ିଥିବା ବେଳେ ତାଙ୍କ ହୋସ ଆସିଥିଲା। ହୋସ୍ ଫେରିବା ପରେ ରାସ୍ତା ଉପରକୁ ଉଠିଥିଲେ ବିରେନ୍ । ହେଲେ ତାଙ୍କୁ ଚୋର ଭାବି କିଛି ଟ୍ରକ୍ ଡ୍ରାଇଭର୍ ପିଟିଥିଲେ । ଯେନତେନ ପ୍ରକାରରେ ସେ ସେଠୁ ବସ୍ ଯୋଗେ ନିଜ ଗାଁକୁ ଫେରିଥିଲେ । ଏ ନେଇ ସେ ଏବେ ସହିଦ ନଗର ଥାନାରେ ଫେରାଦ ହୋଇଛନ୍ତି ।
ଦୁଇ ଦିନ ପୂର୍ବେ ଢେଙ୍କାନାଳର ଜଣେ ଶିକ୍ଷକ ବି ଏହିପରି ଲୁଟ୍ ଶିକାର ହୋଇଥିଲେ । ଲିଫ୍ଟ ଦେବା ବାହାନାରେ କିଛି ଦୁର୍ବୃତ୍ତ ତାଙ୍କୁ ଆଚାର‌୍ୟ୍ୟ ବିହାର ନିକଟରୁ ଲିଫ୍ଟ ଦେଇଥିଲେ। ଏହାପରେ ଡମଣା ଛକରେ ଥଣ୍ଡାରେ ନିଶା ପକାଇ ପିଇବାକୁ ଦେଇଥିଲେ। ନିଶା ହୋଇଯିବା ପରେ ତାଙ୍କ ନିକଟରେ ଥିବା ଛଅ ହଜାର ଟଙ୍କା, ପର୍ସ, ସୁନା ମୁଦି ଓ ମୋବାଇଲ ଲୁଟି ନେଇଥିଲେ। ପରେ ଶିକ୍ଷକଙ୍କୁ ଧବଳେଶ୍ୱର ଘାଟରେ କାର୍ ବାହାରକୁ ଫୋପାଡ଼ି ଦେଇ ପଳାଇଥିଲେ। ଏନେଇ ଶିକ୍ଷକଜଣଙ୍କ ଗତକାଲି ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ଆଜି ବି ସମାନ ଢଙ୍ଗରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହେବା ପରେ ପୁଲିସ୍ ପାଇଁ ସୃଷ୍ଟି ହେଲାଣି ଚ୍ୟାଲେଞ୍ଜ ।
ଗତ କିଛି ଦିନ ଧରି ରାଜଧାନୀରେ ମାତିଛନ୍ତି ମାତିଛନ୍ତି ଚୋର, ଲୁଟେରା ଆଉ ଠକ । ଲୁଟେରାମାନେ ପ୍ରଥମେ ବିଭିନ୍ନ ଦୋକାନ, ମଣ୍ଡପକୁ ଟାର୍ଗେଟ କରି ଲୁଟୁଥିବା ବେଳେ ଏବେକାର ଲୁଟେରା ଯାତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି। ପୁଣି କେହି ନିରୀହ ଏପରି ଲୁଟେରାଙ୍କ କବଳରେ ପଡ଼ିବ ନା ତା’ ପୂର୍ବରୁ ପୁଲିସ୍ ଏହି ଗ୍ୟାଙ୍ଗକୁ ବାନ୍ଧିବ ତାହା ଉପରେ ସମସ୍ତଙ୍କ ନଜର ।

Related Posts

Seo wordpress plugin by www.seowizard.org.