Odisha News

ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କଲା କମିସନରେଟ୍ ପୁଲିସ

ଭୁବନେଶ୍ୱର,୧୫/୪ : କମିଶନରେଟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ରାଜଧାନୀ ରାମ ମନ୍ଦିର ସାମ୍ନାରୁ ଜଣେ ଦୃଷ୍ଟି ବାଧିତ ମାଆ କୋଳରୁ ଚୋରି ହୋଇଥିବା ଦେଢ଼ ବର୍ଷର ଶିଶୁ ଶେଷରେ ଉଦ୍ଧାର ହୋଇଛି । କମିଶନରେଟ ପୋଲିସର ପ୍ରାଣ ମୂର୍ଚ୍ଛା ଉଦ୍ୟମ ପରେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବୋଇତା ଗାଁରୁ ଶିଶୁ ପୁତ୍ର ଶୁଭମ ଓରଫ କେଶବ ଉଦ୍ଧାର ହୋଇଛି ।
ପୋଲିସର ଏକ ସ୍ୱତନ୍ତ୍ର ଟିମ ଶିଶୁକୁ ବାଲେଶ୍ୱରରୁ ଭୁବନେଶ୍ୱରରେ ନେଇକି ଆସିଛି । ତାର ସ୍ୱାସ୍ଥ୍ୟ ପରୀକ୍ଷ କରାଯାଉଛି । ସେପଟେ ବୋଇତା ଗାଁର ଝେଲମରାଣୀ ପଣ୍ଡାଙ୍କୁ ଅପହରଣକାରୀ ବିକ୍ରି କରିଥିବା ଜଣାପଡ଼ିଛି । ଝେଲମଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।
ପୋଲିସକୁ ଧନ୍ୟବାଦ ଦେଲା ମା’
ତେବେ ଗତକାଲି ରାତିରେ ବାଲେଶ୍ୱରରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ପୋଲିସ କେଶବର ଫଟୋ ମାଆଙ୍କୁ ଦେଖାଇଥିଲେ, କିନ୍ତୁ ମାଆ ଦୃଷ୍ଟିହୀନ ହୋଇଥିବାରୁ ଅନ୍ୟମାନଙ୍କୁ ଫଟୋ ଦେଖାଯାଇଥିଲା । ସେମାନେ କେଶବକୁ ଚିହ୍ନଟ କରିଥିଲେ । ସେପଟେ ପୁଅ ମିଳିବା ଖବର ପାଇବା ପରେ ମାଆ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ସମସ୍ତ ଶ୍ରେୟ ପୋଲିସ ଟିମକୁ ଦେଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ କୃପା ଏବଂ ପୋଲିସର ଉଦ୍ୟମ ଫଳରେ ଏହା ସମ୍ଭବ ହୋଇପାରିଲା ବୋଲି କହିଛନ୍ତି ମାଆ ଜୟନ୍ତୀ ।
କେମିତି ହୋଇଥିଲା ଅପହରଣ ?
ପ୍ରତିଦିନ ଜୟନ୍ତୀ ମଲ୍ଲିକ ନାମରେ ଜଣେ ଦୃଷ୍ଟିବାଧିତ ମହିଳା ଜଣକ ନିଜ ପୁଅକୁ ନେଇ ରାମମନ୍ଦିର ପାଖକୁ ଆସନ୍ତି । ଏପ୍ରିଲ ୧୨ ତାରିଖ ଶନିବାର ମଧ୍ୟ ସେ ମନ୍ଦିର ନିକଟକୁ ଆସିଥିଲେ । କିନ୍ତୁ କାଳବୈଶାଖୀ ଯୋଗୁଁ ସେ ବସ୍ତିକୁ ଫେରି ପାରି ନ ଥିଲେ । ସେଥିପାଇଁ ରାତିରେ ମନ୍ଦିର ସାମ୍ନାରେ ରହିଯାଇଥିଲେ । କିନ୍ତୁ ଜଣେ ଦୁର୍ବୃତ୍ତ ଶିଶୁକୁ ଜୁସ୍ ପିଇବାକୁ ଦେବା ସହିତ ମୋବାଇଲ ଦେଖାଇଥିଲା । କିଛି ସମୟ ତା ସହ ଖେଳିବା ପରେ ସେଠାରୁ ଶିଶୁକୁ ଧରି ଫେରାର ହୋଇଯାଇଥିଲା ।
ଶିଶକୁ ଉଦ୍ଧାର କରିବାକୁ କମିଶନରେଟ୍ ପୋଲିସ ଦିନ ରାତି ଏକ କରିଦେଇଥିଲା । ୫ଟି ଟିମ୍ ଗଠନ କରି ଘନ ଘନ ତଦନ୍ତ କରାଯାଇଥିଲା । ଭୁବନେଶ୍ୱର ରାମମନ୍ଦିର ଛକରୁ ରେଳ ଷ୍ଟେସନ ଯାଏଁ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଇଥିଲା । ଅପହରଣକାରୀକୁ ପୋଲିସ ସିସିଟିଭି ଜରିଆରେ ଠାବ କରିବା ପରେ ଗଞ୍ଜାମ, ନୟାଗଡ଼ ଆଦି ଜିଲ୍ଲାକୁ ପୋଲିସ ଟିମ ପଠାଯାଇଥିଲା । ଏମିତିକି ରାଜ୍ୟ ବାହାରକୁ ମଧ୍ୟ ପୋଲିସ ଟିମ୍ ଯାଇଥିଲା । ଅପହରଣକାରୀ ଶୁଭମର ଚୁଟି କାଟି ବେଶ ମଧ୍ୟ ବଦଳାଇ ଦେଇଥିଲା ।

Related Posts